କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ ପୂରିଥିବାବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରିପାରିନି। ଅନ୍ୟପକ୍ଷେ ରୁଷ୍ ୟୁକ୍ରେନ୍ର ପ୍ରମୁଖ ସହର ଉପରେ ଏହାର ଆକ୍ରମଣ ଜୋରଦାର କରିବାରେ ଲାଗିଛି। ଆକ୍ରମଣ ଯୋଗୁଁ ୟୁକ୍ରେନ୍ରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ଏପରିକି ୟୁକ୍ରେନ୍ରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ବି ରୁଷ୍ ବାଧା ସୃଷ୍ଟି କରୁଛି। ଏକ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ରୁଷ୍ ୟୁକ୍ରେନ୍ର ମାନବୀୟ ପଥ ଉପରେ ଆକ୍ରମଣ ଯୋଜନା କରୁଛି। ରୁଷ୍ର ଆକ୍ରମଣ ଯୋଜନା ପାଇଁ ୟୁକ୍ରେନ୍ ମାନବୀୟ କରିଡର୍ ବନ୍ଦ ରଖିଛି ବୋଲି ଦାବି କରିଛି। ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଏକ ବିବୃତି ଜାରି କରି ଏହା କହିଛନ୍ତି।
ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲ୍ରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ମାରିୟୁପୋଲ୍ ଦଖଲ ପାଇଁ ରୁଷ୍ ଆକ୍ରମଣ ଜାରି ରଖିଛି। ମାରିୟୁପୋଲ୍ରେ ୯୦ ପ୍ରତିଶତ ଘର ଧ୍ବଂସ ହୋଇଯାଇଛି। ୬୦ ପ୍ରତିଶତ ଘର ଉପରେ ସିଧାସଳଖ ଆକ୍ରମଣ ହୋଇଛି। ସହରରେ ୭ଟି ହସ୍ପିଟାଲ୍ ନଷ୍ଟ ହୋଇଯାଇଛି। ଏଥି ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି। ୩ଟି ମାଟର୍ନିଟି ହସ୍ପିଟାଲ୍, ୫୭ ସ୍କୁଲ୍ ଏବଂ ୭୦ କିଣ୍ଡରଗାର୍ଟେନ୍ ଧ୍ବଂସ ହୋଇଛି। ମାରିୟୁପୋଲ୍ ମେୟର ଆଜି ଏକ ବିବୃତି ଜାରି କରି ମାରିୟୁପୋଲ୍ରେ ଜାରି ରହିଥିବା ଶୋଚନୀୟ ସ୍ଥିତି ସଂକ୍ରାନ୍ତରେ କହିଛନ୍ତି। ମାରିୟୁପୋଲ୍ ମେୟର କହିଛନ୍ତି, ଏବେ ଆମ ହାତରେ ଆଉ କିଛି ନାହିଁ। ଆମେ ଏବେ ରୁଷ୍ ସୈନିକଙ୍କ କବ୍ଜାରେ। ମାରିୟୁପୋଲ୍ରୁ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି। ମେୟରଙ୍କ ଅନୁଯାୟୀ ମାରିୟୁପୋଲ୍ରେ ଏବେ ପ୍ରାୟ ୧୬୦,୦୦୦ ଲୋକ ଫସି ରହିଛନ୍ତି। ବିନା ଖାଦ୍ୟ , ପାଣି ଏବଂ ବିଜୁଳିରେ ଏଠାରେ ବଞ୍ଚିବା ଅସମ୍ଭବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ମାରିୟୁପୋଲ୍ରେ ମାନବୀୟ ସ୍ଥିତି ଅତି ଶୋଚନୀୟ ରହିଛି। ୧,୭୦,୦୦୦ ନାଗରିକଙ୍କୁ ରୁଷ୍ ବାହିନୀ ଘେରି ରହିଛି। ଖାଦ୍ୟ, ପାଣି ଏବଂ ଔଷଧ ଯୋଗାଣ ବନ୍ଦ ହୋଇଯାଇଛି।
ୟୁକ୍ରେନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମାରିୟୁପୋଲ୍ରେ ଭୟଙ୍କର ବିପର୍ଯ୍ୟୟ ଉପୁଜିଛି। ଭୂପୃଷ୍ଟ, ଆକାଶ, ଏବଂ ସମୁଦ୍ରରୁ ରୁଷ୍ର ଆକ୍ରମଣ ଦ୍ବାରା ୪୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ମାରିୟୁପୋଲ୍ ଏବେ ଧୂଳିସାତ୍ ହୋଇଛି। ଆସନ୍ତା କିଛିଦିନ ମଧ୍ୟରେ ଫ୍ରାନ୍ସ, ରୁଷ୍ ଏବଂ ତୁର୍କୀ ମାରିୟୁପୋଲ୍ରୁ ଗଣ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିପାରନ୍ତି। ମାରିୟୁପୋଲ୍ର ଦକ୍ଷିଣ ଅଂଶରେ ରୁଷ୍ ସେନା ଅଧିକ ଅଞ୍ଚଳ ଅକ୍ତିଆର କରିନେଇଛନ୍ତି। ରବିବାର ରାତିସାରା ରୁଷ୍ କିବ୍, ଖାରକିଭ, ଜିଟୋମିର, ରିଭନେରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ପଶ୍ଚିମ ୟୁକ୍ରେନ୍ର ଲଭିବରେ ଗତକାଲି ରାତିରେ ରୁଷ୍ର ୨ଟି କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୫ ଜଣ ଆହତ ହୋଇଛନ୍ତି। କିବ୍ରେ କର୍ଫ୍ୟୁ କୋହଳ ହୋଇଥିଲେ ସୁଦ୍ଧା ବୋମାବର୍ଷା ଜାରି ରହିଛି। ସୋମବାର ସକାଳେ କିବ୍ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଯୁଦ୍ଧ ଯୋଗୁଁ ୟୁକ୍ରେନ୍ରେ ଏଯାବତ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧ କୋଟିରୁ ଅଧିକ ଲୋକ ସେମାନଙ୍କ ଘର ଛାଡ଼ିଛନ୍ତି ବୋଲି କିବ୍ ଦାବି କରିଛି। ଜାତିସଂଘ ସୂଚନାନୁଯାୟୀ ୩୯ ଲକ୍ଷ ଲୋକ ଦେଶ ଛାଡ଼ି ସାରିଛନ୍ତି। ଜାତିସଂଘ ଶରଣାର୍ଥୀ ସଂସ୍ଥା ଅନୁଯାୟୀ ୩,୮୬୨,୭୯୭ ୟୁକ୍ରେନ୍ ନାଗରିକ ଦେଶ ଛାଡ଼ିଛନ୍ତି।