ରବାତ: ଭୟାନକ ଭୂକମ୍ପରେ ଥରି ଉଠିଛି ଉତ୍ତରଆଫ୍ରିକୀୟ ରାଷ୍ଟ୍ର ମରକ୍କୋ। ଗତରାତିରେ ଆସିଥିବା ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୩୦କୁ ବୃଦ୍ଧି ପାଇବା ସହ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨୦୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି। ଶୁକ୍ରବାର ରାତିରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ଥିବା ଜଣାପଡ଼ିଛି, ଯାହା ମରକ୍କୋରେ ଏ ଯାବତ୍ ହୋଇଥିବା ଭୂକମ୍ପଗୁଡ଼ିକ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ।

Advertisment

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ୟୁଏସ୍‌ଜିଏସ୍‌) କହିଛି ଯେ, ଏକ ଶତାବ୍ଦୀରୁ ଅଧିକ ସମୟ ଭିତରେ ଉତ୍ତରଆଫ୍ରିକୀୟ ଦେଶର ସେହି ଅଂଶରେ ଏହା ସବୁଠାରୁ ଶକ୍ତିଶାଳୀ କମ୍ପନ ଥିଲା। ମରକ୍କୋର ଦକ୍ଷିଣ-ପଶ୍ଚିମ ଦିଗରେ ୭୧ କିଲୋମିଟର ଦୂରରେ ୧୮.୫ କିଲୋମିଟର ଗଭୀରତାରେ ସ୍ଥାନୀୟ ସମୟ ରାତି ୧୧ଟା ୧୧ରେ ଏହି କମ୍ପନ ଅନୁଭୂତ ହୋଇଛି। ଉପକୂଳବର୍ତ୍ତୀ ସହର ରବାତ, କାସାବ୍ଲାଙ୍କା ଏବଂ ଏସାଉଇରାରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।
ରୟାଲ ମରକ୍କୋ ସଶସ୍ତ୍ର ବାହିନୀ କହିଛି ଯେ ଆଫ୍ଟର୍‌ସକ୍ (ପରବର୍ତ୍ତୀ କମ୍ପନ)ର ଆଶଙ୍କା ଥିବାରୁ ଲୋକମାନେ ତଥାପି ଅସୁରକ୍ଷିତ ଅଛନ୍ତି। ଭୂକମ୍ପ ଯୋଗୁଁ ଶତାଧିକ ଘର ଧ୍ବସ୍ତ ହୋଇଯାଥିବା ବେଳେ ପ୍ରାୟ ୧୦ ହଜାର ଘର କ୍ଷତିଗ୍ରସ୍ତ ହୋଇଛି।

ଏଥିପାଇଁ ସତର୍କତା ଅବଲମ୍ବନ କରିବା ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସେନା କହିଛି। ଶନିବାର ବିଶ୍ବର ବିଭିନ୍ନ ସ୍ଥାନରୁ ମରକ୍କୋକୁ ସମବେଦନାର ବାର୍ତ୍ତା ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂକମ୍ପ ପୀଡ଼ିତଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରିବା ସହ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ଆଜି ଜି-୨୦ ବୈଠକରେ ଘୋଷଣା କରିଛନ୍ତି। ଜର୍ମାନ ଚାନସେଲର ଓଲାଫ ସ୍କଲ୍‌ଜ ଏକ୍ସରେ ସମବେଦନା ଜଣାଇଛନ୍ତି। ଜାତିସଂଘର ଜନୈକ ମୁଖପାତ୍ର କହିଛନ୍ତି ଯେ ପୀଡ଼ିତ ଲୋକଙ୍କୁ ସହାୟତା ପ୍ରଦାନ ନିମନ୍ତେ ମରକ୍କୋ ସରକାରଙ୍କୁ ସହଯୋଗ କରିବାକୁ ମିଳିତ ଜାତିସଂଘ ପ୍ରସ୍ତୁତ ଅଛି।

ଆଫ୍ରିକୀୟ ଏବଂ ୟୁରେସୀୟ ପ୍ଲେଟ୍ ମଧ୍ୟରେ ଅବସ୍ଥିତି ହେତୁ ମରକ୍କୋର ଉତ୍ତରାଞ୍ଚଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି । ୧୯୬୦ରେ ମରକ୍କୋର ସହର ଆଗାଦି ନିକଟରେ ୫.୮ ତୀବ୍ରତାର ଭୂକମ୍ପ ଘଟି ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୪ରେ ଭୂମଧ୍ୟସାଗରୀୟ ଉପକୂଳବର୍ତ୍ତୀ ସହର ଅଲ ହୋସିମା ନିକଟରେ ୬.୪ ତୀବ୍ରତାର ଏକ ଭୂକମ୍ପରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।