ପଂଜଶୀରରେ ଭୟଙ୍କର ଲଢ଼େଇ: ସାଲେହଙ୍କ ଭାଇଙ୍କୁ ନିର୍ଯାତନା ଦେଇ ହତ୍ୟା

ଭୋକରେ ଲଢ଼ୁଛନ୍ତି ବିଦ୍ରୋହୀ ବାହିନୀ, ଖାଦ୍ୟ ପହଞ୍ଚିବାର ସବୁ ବାଟ ବନ୍ଦ

କାବୁଲ : ତାଲିବାନ ପାଇଁ ଏବେ ବି ପଂଜଶୀର ପ୍ରଦେଶ ଏକ ବଡ଼ କଣ୍ଟା ହୋଇ ରହିଛି। ତାଲିବାନ ଏହି ପ୍ରଦେଶ ଅକ୍ତିଆର କରିନେଇଛି ବୋଲି ଦାବି କରିଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ଥିବା ଦେଖିବାକୁ ମିଳିଛି । ତାଲିବାନ ପଂଜଶୀର ଗଭର୍ଣ୍ଣର ଅଫିସରେ ବିଜୟ ପତାକା ଉଡ଼ାଇଥିଲେ ମଧ୍ୟ ଅସଲ ଲଢ଼େଇ ଗଳିକନ୍ଦି ଏବଂ ପର୍ବତ ଘାଟିରେ ଜାରି ରହିଛି। ବିଦ୍ରୋହୀ ବାହିନୀର ନେତାମାନେ ପଂଜଶୀର ଛାଡ଼ି ତାଜିକିସ୍ତାନ ପଳାଇଛନ୍ତି ବୋଲି ତାଲିବାନ ଦାବି କରୁଥିଲେ ମଧ୍ୟ ଏବେ ବି ପ୍ରାୟ ୮ ହଜାର ବିଦ୍ରୋହୀ ସବୁ ଶକ୍ତି ଖଟାଇ ଲଢ଼ୁଛନ୍ତି। ଇରାନ ଗଣମାଧ୍ୟମ ଅନୁଯାୟୀ ତାଲିବାନ ଏବଂ ବି‌ଦ୍ରୋହୀ ବାହିନୀ ମଧ୍ୟରେ ଲଢ଼େଇ ଜାରି ରହିଛି। ଗତରାତିରେ ପଂଜଶୀରରେ ବି‌ଦ୍ରୋହୀ ବାହିନୀ ଏନ୍‌ଆରଏଫ୍‌ (ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ‌୍) ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ବେଳେ ଉଭୟ ପଟୁ ଶତାଧିକ ନିହତ ହୋଇଥିବା ଜଣାପଡ଼ିଛି । ତାଲିବାନ ଆକ୍ରମଣରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ ତାଲିବାନ ଆତଙ୍କବାଦୀ ସଲେହଙ୍କ ଭାଇଙ୍କୁ ନିର୍ଯାତନା‌ ଦେବାପରେ ହତ୍ୟା କରିଛନ୍ତି। ତାଲିବାନ ପକ୍ଷରୁ ଏହା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା‌ ବିଭିନ୍ନ ରିପୋର୍ଟରୁ ଏହା ଜଣାପଡ଼ିଛି । ଅନ୍ୟପକ୍ଷେ ତାଲିବାନ ବ୍ୟାପକ କ୍ଷତି ସହିବା ପରେ ଏବେ ପଂଜଶୀରରେ ଗଣହତ୍ୟାରେ ଲିପ୍ତ ହୋଇଛି। ଏହା ନାଗରିକଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରୁଥିବାରୁ ଆରଏନଏଫ୍‌ ନେତା ଅହମଦ ମସୁଦ ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡ଼ିଛନ୍ତି।

ପଂଜଶୀରରେ ଅତି ଦୟନୀୟ ସ୍ଥିତି ଉପୁଜିଛି। ତାଲିବାନ ପଂଜଶୀରକୁ ଖାଦ୍ୟ ସମେତ ସମସ୍ତ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବା ବନ୍ଦ କରିଦେଇଛି। ପଂଜଶୀର ଛାଡ଼ି କାବୁଲ ପହଞ୍ଚିବାରେ ସକ୍ଷମ ହୋଇଥିବା କିଛି ପରିବାର କହିଛନ୍ତି, ପଂଜଶୀରରେ ଲୋକମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଏନ୍‌ଆରଏଫ୍‌ ସଦସ୍ୟମାନେ ଭୋକରେ ତାଲିବାନର ମୁକାବିଲା କରୁଛନ୍ତି। ପଂଜଶୀରରେ ଖାଦ୍ୟ ପହଞ୍ଚୁନି। ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଯାଇଛି ଏବଂ ଟେଲିକମ୍‌ ସେବା ବି ବନ୍ଦ ଅଛି। ଅନେକ ଲୋକ ବି ତାଲିବାନ ଭୟରେ ପଂଜଶୀର ଛାଡ଼ି ପର୍ବତ ଆଡ଼କୁ ପଳାଇଛନ୍ତି। ଅନ୍ୟପକ୍ଷେ ତାଲିବାନର ଜଣେ ମୁଖପାତ୍ର କହିଛନ୍ତ, ପଂଜଶୀରରେ ସ୍ଥିତି ସ୍ବାଭାବିକ ରହିଛି। ଗଣହତ୍ୟା ଏବଂ ଲୋକମାନଙ୍କୁ ନିର୍ଯାତନା ଖବର ସତ ନୁହେଁ।

ସମ୍ବନ୍ଧିତ ଖବର