ହାଇଦ୍ରାବାଦ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ୧୧ ଶ୍ରମିକ ଜୀବନ୍ତ ଦଗ୍ଧ

କ୍ଷତିପୂରଣ ଘୋଷଣା କଲେ ମୋଦୀ, କେସିଆର୍‌

ହାଇଦ୍ରାବାଦ: ହାଇଦ୍ରାବାଦର ଭୋଇଗୁଡ଼ାରେ ଆଜି ଏକ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁରୁ କେବଳ ଜଣେ ‌ଶ୍ରମିକ ବର୍ତ୍ତି ଯାଇଛନ୍ତି। ସେ ଝରକା ଭାଙ୍ଗି ବାହାରି ଆସିବାରେ ସକ୍ଷମ ହୋଇଥିଲେ। ତେବେ ସେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତକମାନେ ବିହାରର। ଶ୍ରମିକମାନେ ଗୋଦାମରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଗୋଦାମର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେଣୁ ସେମାନେ ବାହାରି ପାରିନଥିଲେ। ୮ ଅଗ୍ନି ନିର୍ବ‌ାପକ ଇଂଜିନ୍‌ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇସାରିଛି। ସର୍ଟ‌୍ ସର୍କିଟ୍‌ ‌ଯୋଗୁଁ ଗୋଦାମରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଚି। ସମସ୍ତ ମୃତକମାନେ ବିହାର ଆଜମପୁର ଗ୍ରାମର ବାସିନ୍ଦା। ସେମାନେ ଦେଢ଼ବର୍ଷ ହେବ ଏହି ଗୋଦାମରେ କାମ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର‌ଶେଖର ରାଓ (କେସିଆର୍‌) ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ କେସିଆର୍‌ ୫ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର