ସିଙ୍କହୋଲ୍ ନେଇଗଲା ୬ ଜଣଙ୍କ ଜୀବନ: ଭାଇରାଲ ଭିଡିଓରେ ଦେଖନ୍ତୁ କିଭଳି ଚାହୁଁ ଚାହୁଁ ରାସ୍ତା ଭିତରକୁ ଖସି ପଡ଼ିଲା ବସ୍

ନୂଆଦିଲ୍ଲୀ: ଚୀନରେ ଏକ ବସ୍ ସିଙ୍କହୋଲକୁ ‌ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ବସଟି ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଲୋକେ ବସ ଭିତରକୁ ଚଢ଼ୁଥିଲେ। ଏହି ସମୟରେ ହଠାତ୍ ରାସ୍ତାଟି ତଳକୁ ଧସିଯିବାରୁ ବସର ଆଗ ସାମ୍ନା ତଳକୁ ଖସି ପଡ଼ିଥିଲା। ଯାହାଦ୍ବାରା ଆଗ ସାମ୍ନାରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬ଜଣ ପ୍ରାଣ ହରାଇଥିବା ଘଟଣା ସାମ୍ନାକୁ ଆସିଛି।

ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରାସ୍ତା କଡ଼ରେ ଲାଗିଥିବା ସିସିଟିଭି ଭିଡିଓରେ ଦୁର୍ଘଟଣା ସମୟର ଦୃଶ୍ୟ କଏଦ ହୋଇଥିବା ବେଳେ କିଭଳି ବସଟି ହଠାତ୍ ତଳକୁ ଖସି ପଡ଼ିଥିଲା, ତାହା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ୬ଜଣ ମୃତ୍ୟୁବରଣ କରିଥିବା ବେଳେ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଚୀନରେ ଥିବା ଏକ ଡାକ୍ତରଖାନା ବାହାରେ ଯାତ୍ରୀଙ୍କୁ ନେବା ପାଇଁ ବସଟି ଛିଡ଼ା ‌ହୋଇଥିଲା। ବସକୁ ଅପେକ୍ଷା କରି ରହିଥିବା ଯାତ୍ରୀ ବସ ଭିତରକୁ ଚଢ଼ିବା ଆରମ୍ଭ କରିଥିଲେ। ଏ ମଧ୍ୟରେ ହଠାତ ତଳେ ଥିବା ସିଙ୍କହୋଲ ଖୋଲିଯିବାରୁ ବସର ଆଗ ପାର୍ଶ୍ବ ତଳକୁ ଖସି ପଡ଼ିଥିଲା।

ଯାହା ପାଇଁ ସାମ୍ନାରେ ବସିଥିବା ଯାତ୍ରୀ ଚାପି ହୋଇ ପ୍ରାଣ ହରାଇଥିଲେ। ଘଟଣାସ୍ଥଳକୁ ୧,୦୦୦ରୁ ଅଧିକ ଉଦ୍ଧାରକାରୀ ଦଳ ଓ ୩୦ଟି ଗାଡ଼ିକୁ ପଠାଯାଇଥିଲା। ଏବେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିବା ବେଳେ ୬ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ୧୬ଜଣଙ୍କୁ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର