ଶ୍ରୀନଗର : ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାର ଭେଲୁ କ୍ରାଲପୋରା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ପୁଲିସ ହେଡ୍ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହେଡ୍ କନଷ୍ଟେବଳଙ୍କୁ ତାଙ୍କ ଘର ବାହାରେ ଗୁଳି କରାଯାଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ନିହତ ହେଡ୍ କନଷ୍ଟେବଳଙ୍କ ନାମ ଗୁଲାମ ମହମ୍ମଦ ଡାର ବୋଲି ଜଣାପଡ଼ିଛି। ସେ ଶ୍ରୀନଗରରେ ଡେପୁଟି ଏସପି ଅଫିସରେ କାର୍ଯ୍ୟରତ ଥିଲେ ।
ତିନି ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏହା ହେଉଛି ତୃତୀୟ ଆତଙ୍କବାଦୀ ଘଟଣା। ସୋମବାର ଉତ୍ତରପ୍ରଦେଶର ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ରବିବାର ଶ୍ରୀନଗରରେ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ଏକ ଖେଳ ପଡ଼ିଆରେ ଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା ।
ସୋମବାର ଦକ୍ଷିଣ କଶ୍ମୀରର ପୁଲଓ୍ଵାମାରେ ଉତ୍ତରପ୍ରଦେଶର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଘଟଣାଟି ନାଉପୋରା ଅଞ୍ଚଳରେ ଘଟିଥିଲା । ଉକ୍ତ ଶ୍ରମିକଙ୍କ ନାମ ମୁକେଶ କୁମାର ବୋଲି ଜଣାପଡ଼ିଛି। ସୋମବାର ମଧ୍ୟାହ୍ନ ୧୨ଟା ୪୫ମିନିଟରେ ମୁକେଶଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।