ନୂଆଦିଲ୍ଲୀ : ଆଜି ଅମୃତସରରେ ହୋଇଥିବା ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପଞ୍ଜାବ ପୁଲିସ ସ୍ପଷ୍ଟ କରିଛି । ଏକ ଧାର୍ମିକ ସମାବେଶରେ ଜମା ହୋଇଥିବା ଲୋକମାନଙ୍କ ଉପରକୁ ଗ୍ରେନେଡ ଫିଙ୍ଗାଯାଇଥିବାରୁ ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଆକ୍ରମଣ ନୁହେଁ । ଏଣୁ ଏହା ନିଶ୍ଚିତଭାବେ ଏକ ଆତଙ୍କବାଦୀ କାଣ୍ଡ ବୋଲି ପଂଜାବର ଡିଜିପି ସୁରେଶ ଆରୋରା କହିଛନ୍ତି ।
ପଂଜାବରେ ଆତଙ୍କବାଦୀ ଘଟଣା ହେବା ପରେ ଭାରତ ସରକାରଙ୍କ ପାଇଁ ଚିନ୍ତା ବଢାଇଦେଇଛି । କାରଣ ପାକିସ୍ତାନର ଆଇଏସଆଇ ପୁଣିଥରେ ଖଲିସ୍ତାନି ଆତଙ୍କବାଦକୁ ଜୀବିତ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ପୂର୍ବରୁ ସୂଚନା ଦେଇସାରିଛନ୍ତି । ପଂଜାବରେ ପୁଣିଥରେ ଖଲିସ୍ତାନୀ ଆନ୍ଦୋଳନକୁ ଜୀବିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏକ ବାହ୍ୟଶକ୍ତି ଏ ନେଇ ସବୁପ୍ରକାରର ସୁବିଧାସୁଯୋଗ ଯୋଗାଇଦେଉଛି ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ କିଛି ଦିନ ତଳେ କହିଥିଲେ ।
ସୂଚନାଯୋଗ୍ୟ ଯେ ୮୦ ଦଶକରେ ପଂଜାବରେ ଖଲିସ୍ତାନୀ ଆତଙ୍କବାଦ ଚରମସୀମାରେ ପହଞ୍ଚିଥିଲା । ତେବେ ଏବେ ପାକିସ୍ତାନର ଆଇଏସଆଇ ପୁଣି ଥରେ ସେମାନଙ୍କୁ ଉସୁକେଇବାକୁ ଷଡଯନ୍ତ୍ର କରୁଛି । କାନାଡା ବ୍ରିଟେନ ପ୍ରଭୃତି ଦେଶରେ ରହି ଖଲିସ୍ତାନୀ ସମର୍ଥକ ଏକାଠି ହେଉଛନ୍ତି । ଏମାନଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଦେଉଥିବା ଜଣାଯାଉଛି । ଆଇଏସଆଇ ଏବେ ଖଲିସ୍ଥାନ ଆନ୍ଦୋଳନକୁ ପୁଣିଥରେ ଜୀବିତ କରିବାକୁ ଉଦ୍ୟମ ଚଳାଇଛି । ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଆଦି ସ୍ଥାନରେ ଥିବା ଖଲିସ୍ତାନୀ ସମର୍ଥକଙ୍କୁ ଏବେ ଗୋପନରେ ସହାୟତା କରୁଛି ଆଇଏସଆଇ ।