ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଫଳ ବ୍ୟବସାୟୀ ଓ ଡ୍ରାଇଭର, ୩ ଦିନରେ ୩ ଜଣଙ୍କୁ ହତ୍ୟା

ସୁରକ୍ଷା ଯୋଗାଇଲା ପ୍ରଶାସନ

ସୋପିଆନ୍‌/ନୂଆଦିଲ୍ଲୀ :ବିଗତ ୩ ଦିନ ମଧ୍ୟରେ କଶ୍ମୀରରେ ଫଳ ବ୍ୟବସାୟ ସହ ସଂପୃକ୍ତ ୩ ଜଣ ଅଣ କଶ୍ମୀରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଜମ୍ମୁ କଶ୍ମୀର ପ୍ରଶାସନ ଦକ୍ଷିଣ କଶ୍ମୀରରେ ଥିବା ସମସ୍ତ ପ୍ରବାସୀ ଶ୍ରମିକ, ଟ୍ରକ ଡ୍ରାଇଭର ଏବଂ ଫଳ ବ୍ୟବସାୟୀଙ୍କୁ ସୋପିଆନ୍‌ ଏବଂ ପୁଲୱାମାର ସେଫ୍‌ ହାଉସ୍‌କୁ ପଠାଇ ଦେଇଛନ୍ତି। ଜମ୍ମୁ କଶ୍ମୀର ବାହାରୁ ଅନେକ ଲୋକ ଯେଉଁମାନେ ସେଓ ବ୍ୟବସାୟରେ ଜଡ଼ିତ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ କଡ଼ା ସୁରକ୍ଷା ପଦ‌କ୍ଷେପ ଗ୍ରହଣ ହୋଇଛି।

ସୋପିଆନ୍‌ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ଯେ ବଡ଼ ଟ୍ରକ୍‌ଗୁଡ଼ିକ କେବଳ ମୁଖ୍ୟ ରାସ୍ତାମାନଙ୍କରେ ଯାତାୟତ କରିବ। ଫଳ ଉତ୍ପାଦନକାରୀମାନେ ମଧ୍ୟ କ୍ଷୁଦ୍ର ଯାନ ଦ୍ବାର ସେମାନଙ୍କ ଉତ୍ପାଦକୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାପାଇଁ ରାଜି ହୋଇଛନ୍ତି। ସମସ୍ତ ମୁଖ୍ୟ ରାସ୍ତାମାନଙ୍କରେ ସୁରକ୍ଷା‌ କଡ଼ାକଡ଼ି କରାଯାଇଛି। ଜମ୍ମୁ କଶ୍ମୀର ଡିଜିପି ଦିଲବାଗ୍‌ ସିଂହ କହିଛନ୍ତି, ଆତଙ୍କବାଦୀମାନେ ନିର୍ଦ୍ଦିଷ୍ଟ ଭାବେ ସେଓ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେହିପରି ଟ୍ରକ୍‌ଗୁଡ଼ିକୁ ମଧ୍ୟ ସିଧାସଳଖ ଫଳ ବଗିଚାକୁ ଯିବାପାଇଁ ମନା କରାଯାଇଛି। ଫଳ ବଗିଚା‌ରେ ଆତଙ୍କବାଦୀ ଲୁଚି ରହିବା ଭୟ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦିନ ପଂଜାବର ଜଣେ ଫଳ ବ୍ୟବସାୟୀଙ୍କୁ ସୋପିଆନ୍‌ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାର ମାତ୍ର କିଛି ଘଣ୍ଟା ପରେ ପୁଲୱାମାରେ ଜଣେ ଛତିଶଗଡ଼ ଶମ୍ରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ‌ସେହିପରି ସୋମବାର ଦିନ ରାଜସ୍ଥାନର ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ସୋପିଆନ୍‌ରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ସପ୍ତାହକ ମଧ୍ୟରେ ୩ଟି ହତ୍ୟାକାଣ୍ଡ ଯୋଗୁଁ ମଧ୍ୟ ଅନେକ ଟ୍ରକ୍‌ ଡ୍ରାଇଭର ଏବଂ ଫଳ ବ୍ୟବସାୟରେ ସଂପୃକ୍ତ ‌ବ୍ୟକ୍ତି କଶ୍ମୀର ଛାଡ଼ି ପଳାଇଛନ୍ତି।

ସମ୍ବନ୍ଧିତ ଖବର