ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଗଭୀର ସମୁଦ୍ରରେ ତାଲିମ ନେଉଛନ୍ତି ୫୦ ଜୈଶ୍‌ ଆତଙ୍କବାଦୀ, ସେନା ଶିବିରରେ ଆକ୍ରମଣ ଯୋଜନା କରୁଛନ୍ତି ୪ ଏଲଇଟି ଆତଙ୍କବାଦୀ

ନୂଆଦିଲ୍ଲୀ : ଭାରତର ଦକ୍ଷିଣ ଅଞ୍ଚଳରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଯୋଜନା କରୁଛନ୍ତି। ଗୁଇନ୍ଦା ସୂତ୍ରରୁ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ଗୁଜରାଟର ସର୍‌ କ୍ରିକ୍‌ ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ କିଛି ନୌକା ମିଳିଛି। ଏହି ନୌକାରେ ଆତଙ୍କବାଦୀମାନେ ଆସିଥିବାର ସନ୍ଦେହ କରାଯାଉଛି। ତେଣୁ ଯେକୌଣସି ମୁହୂର୍ତ୍ତରେ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଲେପ୍ଟନାଣ୍ଟ୍‌ ଜେନେରାଲ ଏସ୍‌କେ ସାଇନି ଆଜି ସୂଚନା ଦେଇଛନ୍ତି। ପରିସ୍ଥିତିର ମୁକାବିଲା ଲାଗି ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି ଏବଂ ସମଗ୍ର ଦକ୍ଷିଣ ଭାରତରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପାକିସ୍ତାନୀ କମାଣ୍ଡୋମାନେ ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ସମୁଦ୍ର ପଥ ଦେଇ ଗୁଜରାଟର କଚ୍ଛକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ କିଛି ଦିନ ତଳେ ସତର୍କ ସୂଚନା ଜାରି ହୋଇଥିବା ବେଳେ ଏବେ ପୁଣିଥରେ ଗୁଇନ୍ଦାର ଏହି ରିପୋର୍ଟକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ସେନା ପକ୍ଷରୁ ସର୍‌ କ୍ରିକ୍‌ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

କେରଳ ପୁଲିସ ମୁଖ୍ୟ ଲୋକନାଥ ବେହେରା ଇତିମଧ୍ୟରେ ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟମାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ବସ୍ ଷ୍ଟାଣ୍ଡ୍‌, ରେଳ ଷ୍ଟେସନ୍‌, ବିମାନ ବନ୍ଦର ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ ହାଇ ଆଲର୍ଟ ଜାରି କରିବାକୁ ଡିଜିପି କହିଛନ୍ତି। ଆନ୍ଧ୍ରପ୍ରଦେଶରେ ମଧ୍ୟ ଉପକୂଳ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ତିରୁମାଳା ମନ୍ଦିରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

Ommcom News

ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେନା ଶିବିର ଏବଂ ଅନ୍ୟାନ୍ୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ଯୋଜନା କରୁଛି ପାକିସ୍ତାନୀ ଆତଙ୍କବାଦୀ ‌ଗୋଷ୍ଠୀ ଏଲଇଟି (ଲସ୍କର ଏ ତୋଏବା)। ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୪ ଜଣ ଏଲଇଟି ଆତଙ୍କବାଦୀ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ ଯୋଜନା କରୁଛନ୍ତି। ସୂଚନାନୁଯାୟୀ ଆତଙ୍କବାଦୀମାନେ ସାମ୍ବା ଜିଲ୍ଲାର ବରି ବ୍ରାହ୍ମଣ ଶିବିର ଏବଂ ସୁଞ୍ଜୱାନ ଓ କାଳୁଚକ ସେନା ଶିବିରରେ ଆକ୍ରମଣ ଉଦ୍ୟମ କରୁଛନ୍ତି। ସେହିପରି ଆତଙ୍କବାଦୀମାନେ ସୋପିଆନ୍‌ ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏଲ୍‌ଓସିରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ଥିବା କୁହାଯାଉଛି। ନିକଟରେ ଗିରଫହୋଇଥିବା ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଜେରା ସମୟରେ ଏହି ତଥ୍ୟ ମିଳିଛି।

ପାକ୍‌ ସେନା ଜୋହଲି, ବାର୍ଗି, ଏବଂ ନ୍ୟୁ ବାଥ୍‌ଲା ସ୍ଥିତ ଏହାର ପୋଷ୍ଟ୍‌କୁ ବ୍ୟବହାର କରି ଆତଙ୍କବାଦୀମାନଙ୍କୁ ଭାରତ ଅନୁପ୍ରବେଶ କରାଇବାପାଇଁ ସାହାଯ୍ୟ କରୁଛି। ଅନ୍ୟପ‌କ୍ଷେ ପ୍ରାୟ ୫୦ ଜଣ ଜୈଶ୍‌ ଆତଙ୍କବାଦୀ ଭାରତରେ ଆକ୍ରମଣ ପାଇଁ ଗଭୀର ସମୁଦ୍ରରେ ତାଲିମ ନେଉଛନ୍ତି। ସମୁଦ୍ରରେ ମୁ୍ତୟନ ହୋଇଥିବା ଭାରତୀୟ ସୁରକ୍ଷା ସଦସ୍ୟଙ୍କ ଉପରକୁ ଆକ୍ରମଣ କରିବାପାଇଁ ଆତଙ୍କବାଦୀଙ୍କୁ ଗଭୀର ସମୁଦ୍ରରେ ତାଲିମ ଦିଆଯାଉଛି ବୋଲି ବିଏସଏଫ୍‌ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ନୌସେନା ମୁଖ୍ୟ କମରବୀର ସିଂହ ନିକଟରେ କହିଥିଲେ ଯେ ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ଭାରତରେ ଜଳପଥ ଦେଇ ଆକ୍ରମଣ ପାଇଁ ଯୋଜନା କରୁଛି।

ସମ୍ବନ୍ଧିତ ଖବର