ସମୁଦ୍ର ରାସ୍ତା ଦେଇ ପାକିସ୍ତାନ କରି ପାରେ ଆତଙ୍କବାଦୀ ଆକ୍ରମଣ, ହାଇଆଲର୍ଟରେ ଭାରତୀୟ ନୌସେନା

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଲଦାଖ୍‌କୁ ପୃଥକ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ପଦକ୍ଷେପ ପରେ ୭୫୧୪ କିଲୋମିଟର ସମୁଦ୍ର ରାସ୍ତା ମାଧ୍ୟମରେ ପାକିସ୍ତାନ ପକ୍ଷରୁ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ହାଇଆଲର୍ଟ ଜାରି କରାଯାଇଛି।

ଅଧିକାରୀ ସୂତ୍ରରୁ ପ୍ରକାଶ, ଆମେ ପଶ୍ଚିମ ଓ ପୂର୍ବ ସମୁଦ୍ର ତଟ ଅଞ୍ଚଳରେ ହାଇଆଲର୍ଟ ଜାରି କରିଛୁ। ଏତଦ୍‌ବ୍ୟତୀତ ରାଡର ଜରିଆରେ ସମୁଦ୍ର ତଟ ଉପରେ କଡ଼ା ନଜର ବି ରଖାଯାଇଛି। ଭାରତୀୟ ଗୁଇନ୍ଦା ବିଭାଗ ନିକଟରେ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ଭାଇ ରଉଫ ଅଜହରକୁ ପାକିସ୍ତାନ କବଜ୍ଜାରେ ଥିବା କଶ୍ମୀରରେ ଦେଖିଥିବା ସୂଚନା ଦେଇଥିଲେ।

ଏଜେନ୍‌ସି ଜମ୍ମୁ-କଶ୍ମୀରର ବାହାର ଅଞ୍ଚଳରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣର ଚେତାବନୀ ଦେଇଛନ୍ତି। ତେବେ ୨୦୦୮ ମସିହାରେ ଦଶଜଣ ପାକିସ୍ତାନ ଆତଙ୍କବାଦୀ ସମୁଦ୍ର ରାସ୍ତା ଦେଇ ମୁମ୍ବାଇ ଆସି ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ବିଦେଶୀ ବି ସାମିଲ ଥିବା ବେଳେ ତିନିଶହରୁ ଅଧିକ ଏହି ଆତଙ୍କବାଦୀ ଆକ୍ରମଣରେ ଗୁରୁତର ହୋଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର