ଫ୍ରାନ୍ସ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ, ଆତତାୟୀର ଛୁରୀମାଡରେ ୩ ମୃତ

ପ୍ୟାରିସ୍ : ଚାର୍ଲି ହେବଡୋ ପ୍ରସଙ୍ଗକୁ ନେଇ ଜଣେ ସ୍କୁଲ ଶିକ୍ଷକଙ୍କ ମୁଣ୍ଡକାଟ ପରେ ଫ୍ରାନ୍ସରେ ଆଉ ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଚରମପନ୍ଥୀମାନେ । ଫ୍ରାନ୍ସର ଏକ ଚର୍ଚ୍ଚରେ ଜଣେ ଅଜଣା ଆତତାୟୀ ୩ ଜଣ ଲୋକଙ୍କୁ ଛୁରୀ ଭୁସି ହତ୍ୟା କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫ୍ରାନ୍ସର ସହର ନାଇସରେ ଥିବା ନୋଟ୍ରେ ଡ୍ୟାମ ଚର୍ଚ୍ଚରେ ଗୁରୁବାରଦିନ ଏହି ଘଟଣା ଘଟିଛି । ଛୁରୀ ଧରିଥିବା ଜଣେ ବ୍ୟକ୍ତି ହଠାତ ଚର୍ଚ୍ଚ ଆଗରେ ଥିବା ଜଣେ ମହିଳାଙ୍କ ମୁଣ୍ଡ କାଟିଦେବା ସହ ଅନ୍ୟ କେତେ ଜଣଙ୍କୁ ଛୁରୀ ଭୁସି ଆହତ କରିଦେଇଥିଲା । ପରେ ୨ ଜଣ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ଘଟଣାସ୍ଥଳରେ ପୁଲିସ ଓ ଫ୍ରାନ୍ସର ଆତଙ୍କ ନିରୋଧୀ ବାହିନୀର ଯବାନମାନେ ପହଞ୍ଚି ଅଂଚଳକୁ ସିଲ କରିଦେଇଛନ୍ତି ଓ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଏହି ଆକ୍ରମଣର କାରଣ ଓ ଏହା ଚାର୍ଲି ହେବଡୋ ଘଟଣା ସହ ସମ୍ପର୍କିତ କି ନା, ସେ ସଂପର୍କରେ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କିଛି କୁହାଯାଇନାହିଁ ।

ନାଇସ୍ ସହରର ମେୟର ଏହି ଘଟଣାକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି ଅଭିହିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ଖୁବଶୀଘ୍ର ନାଇସ ସହରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର

Comments are closed.