ପିଓକେର ୩ଟି ସ୍ଥାନରେ ଚାଲିଛି ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ ପରେ ବି ପାକ-ଅଧିକୃତ କଶ୍ମୀର (ପିଓକେ)ରେ ପାକ୍-ପ୍ରାୟୋଜିତ ଆତଙ୍କବାଦୀ ଶିବିରଗୁଡ଼ିକ ପୂର୍ବବତ୍ ଚାଲୁ ରହିଛି । ଆତଙ୍କବାଦୀମାନେ ଏସବୁ ଶିବିରରେ ତାଲିମ ନେବା ସହ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ଗୁଇନ୍ଦା ଏଜେନ୍ସିମାନେ ଦେଇଥିବା ସୂଚନା ଅନୁସାରେ ପିଓକେର ୩ୟ ଅଂଚଳରେ ଏସବୁ ଶିବିରଗୁଡ଼ିକ ରହିଛନ୍ତି । ସେସବୁ କ୍ଲଷ୍ଟର ହେଉଛି, ମୁଜାଫରାବାଦ, କୋଟଲି ଓ ମନସେରା । ଏସବୁ କ୍ଲଷ୍ଟରରେ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ, ଅଲ-ବଦ୍ର, ହରକତ-ଉଲ-ମୁଜାହିଦ୍ଦିନ ଆଦି ଆତଙ୍କବାଦୀ ସଂଗଠନମାନେ ତାଲିମ ଶିବିର ଚଳାଇଛନ୍ତି । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଅର୍ଥ ଓ ଅନ୍ୟାନ୍ୟ ସହାୟତା ପାଇଁ ଏସବୁ ସଂଗଠନମାନେ ନିର୍ବିଘ୍ନରେ ଆତଙ୍କବାଦୀ ଶିବିର ଚଳାଉଛନ୍ତି ।

ମାନସେରା କ୍ଲଷ୍ଟର ଅଧିନରେ ବୋଇ, ବାଲାକୋଟ ଓ ଗାରହି ହାବିବୁଲ୍ଲାଠାରେ ଆତଙ୍କବାଦୀ ଶିବିର ଚାଲିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ବାଲାକୋଟରେ ଚାଲିଥିବା ଜୈସ ଶିବିର ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଥିଲା । କିନ୍ତୁ ସେଠାରେ ପୁଣି ଥରେ ଆତଙ୍କବାଦୀ ଶିବିର ଗଢିଉଠିଲାଣି ।

ପାକିସ୍ତାନର ବିଭିନ୍ନ ଅଂଚଳରୁ ଯୁବକମାନଙ୍କୁ ଆଣି ଏସବୁ ଶିବିରଗୁଡ଼ିକରେ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଉଛି । ତାଲିମ ପରେ ସେମାନଙ୍କୁ ଭାରତକୁ ଅନୁପ୍ରବେଶ ପାଇଁ ପଠାଯାଉଛି । ଆଗକୁ ଶୀତଋତୁ ଆସୁଥିବାରୁ ତା ପୂର୍ବରୁ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଭାରତକୁ ପଠାଇବାକୁ ଉଦ୍ୟମ କରାଯାଉଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର