କଶ୍ମୀର : ଜାଲ୍ ଏନଜିଓ ନାଁରେ ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଉଥିଲେ

ଶ୍ରୀନଗର : ସେନା ଓ ପୁଲିସର ମିଳିତ ଅପରେସନ ଫଳରେ ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ାରୁ ଏକ ଆତଙ୍କବାଦୀ ନିଯୁକ୍ତି ସଂସ୍ଥାକୁ ଠାବ କରାଯାଇଛି । ସେମାନେ ଏକ ଏନଜିଓ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଉଥିଲେ ଓ ସ୍ଥାନୀୟ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ପାଇଁ ଚୟନ କରୁଥିଲେ ।

ବିଲାଲ ଅହମ୍ମଦ ଦର ନାମକ ଜଣେ ଆତଙ୍କବାଦୀ ଉତ୍ତର କଶ୍ମୀରର ନୁତନୁସା ଓ ଲୋଲାବ ଅଂଚଳରେ ଲୁଚିଥିବା ସୂଚନା ମିଳିବା ପରେ ସେନା ଓ ପୁଲିସ ପକ୍ଷରୁ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ଏହି ଅପରେସନ ବେଳେ ବିଲାଲ ଓ ତାହାର ସାଥୀମାନଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଆଇଇଡି ତିଆରି ସାମଗ୍ରୀ, ଆପତ୍ତିଜନକ କାଗଜପତ୍ର ଆଦି ଜବତ କରାଯାଇଥିଲା ।

ଜେରା ବେଳେ ସେ ପ୍ରକାଶ କରିଛି ଯେ ସେମାନେ ଏକ ଏନଜିଓ ଇସଲାହି ଫଲାହି ରିଲିଫ ଟ୍ରଷ୍ଟ ଚଳାଉଥିଲେ । ଏହି ​ଏନଜିଓ ଗରିବ ଲୋକଙ୍କୁ ସହାୟତା କରିବା ନାଁରେ ଖୋଲାଯାଇଥିଲେ ବି ତାହାର ମୁଖ୍ୟ କାର୍ଯ୍ୟ ଥିଲା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ଓ ଗାଁ ଗାଁରେ ସଭା କରି ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାକୁ ପ୍ରେତ୍ସାହିତ କରିବା । ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ଲୋକମାନଙ୍କ ନାଁ ବି ବିଲାଲ ପ୍ରକାଶ କରିଛି ।

 

 

 

ସମ୍ବନ୍ଧିତ ଖବର