ଆମେରିକାରେ ଆତଙ୍କ: ୱାଲ୍‌ମାର୍ଟ ଷ୍ଟୋର୍‌ରେ ଧକ୍କା କରାଇବାକୁ ପାଇଲଟ୍‌ର ବିମାନ ଅପହରଣ, ସହର ଖାଲି କରାଗଲା

ୱାସିଂଟନ୍‌ : ଆମେରିକାର ମିସିସିପି ରାଜ୍ୟ ଟୁପେଲୋ ସହରରେ ଶନିବାର ଦିନ ଏକ ବିମାନ ଅପହରଣକୁ ନେଇ ଆତଙ୍କ ଖେଳିଯାଇଛି। ବିମାନ ଅପହରଣ କରିଥିବା ପାଇଲଟ୍‌ ମିସିସିପିର ୱାଲ୍‌ମାର୍ଟ ସୁପରମାର୍କେଟ୍‌ରେ ବିମାନକୁ ଧକ୍କା କରାଇବ ବୋଲି ଧମକ ଦେବାପରେ ସହର ଆକାଶରେ ଦୀର୍ଘ ୫ ଘଣ୍ଟା ଧରି ଚକ୍କର କାଟିଥିଲା। ତେବେ ପୁଲିସ ସହ କଥାବାର୍ତ୍ତା ପରେ ବିମାନକୁ ନିରାପଦ ଭାବେ ଅବତରଣ କରାଇଛି। ପୁଲିସ ତାକୁ ଗିରଫ କରିନେଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୯ ସିଟ୍‌ ବିଶିଷ୍ଟ ଏକ ବିମାନ ଆଜି ସକାଳ ପ୍ରାୟ ୫ଟା (ସ୍ଥାନୀୟ ସମୟ)ରେ ଟୁପେଲୋ ବିମାନବନ୍ଦରରୁ ଚୋରି ହୋଇଥିଲା। ବିମାନ ଚୋରି କରିଥିବା ପାଇଲଟ୍‌ ସହର ଉପରେ ଉଡ଼ାଇଥିଲା। ବିମାନକୁ ସେ ଏକ ୱାଲମାର୍ଟ ଷ୍ଟୋର୍‌ରେ ଧକ୍କା କରାଇବ ବୋଲି ଏଟିସି ସହ ଯୋଗାଯୋଗ କରି ଧମକ ଦେଇଥିଲା। ଏହି ଘଟଣା ପରେ ୱାଲ୍‌ମାର୍ଟ ସୁପରମାର୍କେଟ୍‌ ସମେତ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି। କର୍ତ୍ତୃପକ୍ଷ ସମ୍ପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ।

ଟୁପେଲୋ ପୁଲିସ ପାଇଲଟ୍‌ ସହ ‌ଯୋଗାଯୋଗ କରିଥିଲେ। ତେବେ ସୁରକ୍ଷା ଦୃଷ୍ଟିର ପାଇଲଟ ବାବଦରେ କିଛି ତଥ୍ୟ ପ୍ରଘଟ କରାଯାଇ ନାହିଁ। ଏହି ବିପଜ୍ଜନକ ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧସ୍ତରରେ ଅନେକ ପଦକ୍ଷେପ ନିଆଯାଇଥିବା ମସିସିପି ଗଭର୍ଣ୍ଣର ଟେଟେ ରେଭିସ୍‌ କହିଛନ୍ତି। ଚୋରି ହୋଇଥିବା ବିମାନଟି ‘ବ୍ରିଚ୍‌କ୍ରାଫ୍ଟ କିଙ୍ଗ୍‌ ଏୟାର ୯୦’ ବୋଲି ଚିହ୍ନଟ କରାଯାଇଛି ।

ସମ୍ବନ୍ଧିତ ଖବର