ଲଣ୍ଡନ: ମୁମ୍ବାଇରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଆଜି  ଅବତରଣର ଘଣ୍ଟାଏ ପୂର୍ବରୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା। ଏହାପରେ  ଜରୁରୀ ପରିସ୍ଥିତି ଘୋଷଣା ଭିତରେ ବିମାନଟି ଲଣ୍ଡନରେ ସୁରକ୍ଷିତ ଅବତରଣ କରିଛି। ମୁମ୍ବାଇ-ଲଣ୍ଡନ ବିମାନର ପାଇଲଟ୍‌ ଏକ ସ୍ବତନ୍ତ୍ର କୋଡ୍‌  ‘ସ୍କ୍ବାକିଂ ୭୭୦୦’ ବ୍ୟବହାର କରିଥିଲେ।   ବିମାନର ପାଇଲଟ୍‌ମାନେ ସାଧାରଣ ଜରୁରୀ ପରିସ୍ଥିତି ଘୋଷଣା କରିବା ପାଇଁ ଏହି କୋଡ୍‌ ବ୍ୟବହାର କରିଥାନ୍ତି। ଅନ୍‌ଲାଇନ୍ ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର-୨୪ରେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ବୋଇଂ ୭୭୭ ମୁମ୍ବାଇରୁ ଏହି ଜରୁରୀ ସଙ୍କେତ ଗ୍ରହଣ କରାଯାଇଥିଲା। ଏଆଇ-୧୨୯ ବିମାନ ଅବତରଣର ଏକ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା। ଏହା ବ୍ରିଟେନ  ସମୟ ଅନୁସାରେ ରାତି ୧୨ଟା ୫ମିନିଟରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବାର ଥିଲା। ଫ୍ଲାଇଟ୍ ରାଡାର-୨୪ର ସଦ୍ୟତମ ସୂଚନା ଅନୁଯାୟୀ ବିମାନଟି ଜରୁରୀ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।

Advertisment

ଅବତରଣର ଘଣ୍ଟାଏ  ପୂର୍ବରୁ ବୋମା ଧମକ

ଆଜି ଏୟାର ଇଣ୍ଡିଆର ୫ଟି, ଭିସ୍ତାରାର ୨ଟି ଏବଂ ୨ଟି ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିବା ବେଳେ ୪ ଦିନ ଭିତରେ ୨୦ଟି ବିମାନକୁ ଧମକ ମିଳିଛି।   କ୍ରମାଗତ ଚତୁର୍ଥ ଦିନ ପାଇଁ ଏୟାରଲାଇନ୍ସଗୁଡ଼ିକୁ ବୋମା ଧମକ ମିଳିବାର ଧାରା ଜାରି ରହିଛି।  ଏହା ସହିତ ଆଜି  ୧୪୭ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନ  ଫ୍ରାଙ୍କଫର୍ଟରୁ ଆସିବା ପରେ ତୁରନ୍ତ ସୁରକ୍ଷା ଯାଞ୍ଚ ପାଇଁ ନିଆଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ପୃଥକ୍‌ ବ୍ଲକ୍‌କୁ ନିଆଯାଇଥିଲା। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଇସ୍ତାନବୁଲରୁ ମୁମ୍ବାଇ ଅଭିମୁଖେ ଚଳାଚଳ କରୁଥିବା ବିମାନ ୬ଇ ୧୮କୁ  ମଧ୍ୟ ସୁରକ୍ଷା ସମ୍ବନ୍ଧୀୟ ସତର୍କ ସୂଚନା ମିଳିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଅବତରଣ କରିବା ପରେ ବିମାନକୁ ଆଇସୋଲେସନରେ ରଖାଯାଇଥିଲା ।