ଟଙ୍କା ୨୦୦ରେ ମିଳୁଛି ଜାଲ ଆଧାର, ଜାଣନ୍ତୁ କେମିତି ହେଲା ପର୍ଦ୍ଦାଫାସ୍‌

ଦେଶ ପାଇଁ ସାଜିଛି ବଡ଼ ବିପଦ

ମୁମ୍ବାଇ: ‘ଆଧାର’ କାର୍ଡକୁ ଆଧାର କରି ଦେଶରେ ବିଭିନ୍ନ ସମୟରେ ଦେଖା ଦେଉଥିବା ବା ସୃଷ୍ଟି ହେଉଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ। ଏହି ପରିପ୍ରେକ୍ଷୀରେ ଆଧାର କାର୍ଡ ସଂପର୍କିତ ଯେଉଁ ନୂତନ ସତ୍ୟଟି ସାମନାକୁ ଆସିଛି, ତାହା ଯେତିକି ସାଂଘାତିକ ବା ସଂଗୀନ୍‌ ତା’ ଠାରୁ କାହିଁ କେତେ ଅଧିକ ଗୁଣରେ ଦେଶ ପାଇଁ ବିପଦଜନକ।
ହଁ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସଂପୂର୍ଣ୍ଣ ସତ୍ୟ। କାରଣ, ଏବେ ମାତ୍ର ୨୦୦ ଟଙ୍କା ବିନିମୟରେ ଜଣେ ହାସଲ କରିପାରିବ ଏକ ଜାଲ୍‌ ଆଧାର କାର୍ଡ। ତେବେ, ସରକାରୀ ସ୍ତରରେ ଏହି ଜାଲ୍‌ ଆଧାରକୁ ବ୍ୟବହାର କଲେ, ଅବଶ୍ୟ କୌଣସି ପ୍ରକାରର ସରକାରୀ ସୁବିଧା ସୁଯୋଗ ମିଳି ନପାରେ; କିନ୍ତୁ ଜଣେ ଚାହିଁଲେ ଏହି ଜାଲ୍‌ ଆଧାରକୁ ନିଜର ସ୍ଥାନୀୟ ଠିକଣାର ପ୍ରମାଣପତ୍ର ଭାବେ ବ୍ୟବହାର କରିପାରିବ ଏବଂ ଦେଶ ଭିତରେ ଯେକୌଣସି ସ୍ଥାନକୁ ଟ୍ରେନ୍‌ରେ କିମ୍ବା ବିମାନରେ ଯା’ ଆସ କରି ପାରିବ।

ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ବିପଦଜନକ କଥାଟି ହେଲା ବାଂଲାଦେଶର ଆତଙ୍କବାଦୀ ସଂଗଠନ ଅନ୍‌ସାରୁଲ୍ଲା ବାଂଲା ଟିମ୍‌ (ଏବିଟି) ଏବେ ଭାରତର ସହରମାନଙ୍କରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ଲକ୍ଷ୍ୟରେ ସୁଯୋଗ ଅପେକ୍ଷାରେ ରହିଛି। ବାଂଲା ଅନୁପ୍ରବେଶକାରୀ ସାଜି ଶହ ଶହ ଏବିଟି ଆତଙ୍କବାଦୀ ଭାରତ ମଧ୍ୟକୁ ପ୍ରବେଶ କରିବା ସହ ସମଗ୍ର ଦେଶରେ ବିଛେଇ ହୋଇ ଗଲେଣି। ଆଉ ଏଇ ଏବିଟି ଆତଙ୍କବାଦୀମାନେ ଏହି ଜାଲି ୨୦୦ ଟଙ୍କିଆ ଆଧାରକୁ ନିଜର ପରିଚୟ ପ୍ରମାଣ ପତ୍ର ଭାବେ ବ୍ୟବହାର କରି ଦେଶ ମଧ୍ୟରେ ସ୍ୱଚ୍ଛନ୍ଦରେ ବିଚରଣ କରିବା ସହ ଟ୍ରେନ୍‌ରେ ଯାତାୟାତ ପାଇଁ ବ୍ୟବହାର କରୁଛନ୍ତି। ନିକଟରେ ମହାରାଷ୍ଟ୍ରର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌) ହାତରେ ଏବିଟିର ୧୨ ଆତଙ୍କବାଦୀ ଧରାପଡ଼ିବା ପରେ ଏହି ସତ୍ୟ ପଦାକୁ ଆସିଛି।

ଧରାପଡ଼ିଥିବା ଏବିଟି ଆତଙ୍କବାଦୀମାନଙ୍କ ଠାରୁ ମିଳିଥିବା ତଥ୍ୟରେ ସତ୍ୟତା ଅଛି ନା ନାହିଁ, ତାହା ପରୀକ୍ଷା କରି ଦେଖିବା ପାଇଁ ଜାତୀୟ ସ୍ତରର ଏକ ଟିଭି ଚ୍ୟାନେଲ ଜୀ ଟିଭି ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ୍‌ ହୋଇଥିଲା। ଅପରେସନ୍‌ କାଳରେ ଏଥିରେ ସତ୍ୟତା ଥିବା, ୨୦୦ ଟଙ୍କା ବିନିମୟରେ ଜାଲ ଆଧାର ମିଳୁଥିବା ପ୍ରମାଣିତ ହୋଇଥିଲା। ତେବେ, ଆସନ୍ତୁ ଜାଣିବା କେମିତି ହୋଇଥିଲା ଅପରେସନ୍‌? ଆଉ କେମିତି ସତ ଆସିଥିଲା ପଦାକୁ?

ଏମିତି ଥିଲା ଅପରେସନ୍‌:

ମୁମ୍ବାଇରେ ୨୦୦ ଟଙ୍କା ବିନିମୟରେ ଜାଲ ଆଧାର ମିଳୁଥିବା ଖବର ପାଇବା ପରେ ଜୀ ମିଡିଆ ଟିମ୍‌ ଯାଇ ପହଞ୍ଚିଥିଲା ମୁମ୍ବାଇର ମାଲ୍‌ଓ୍ଵାନି ଅଞ୍ଚଳରେ। ଯେଉଁଠାରୁ କି ଏବିଟିର ଏହି ବାଂଲାଦେଶୀ ଆତଙ୍କବାଦୀମାନେ ଏଟିଏସ୍‌ ହାତରେ ଗିରଫ ହୋଇଥିଲେ। ସେଠାରେ ପ୍ରଥମେ ଜଣେ ଏଜେଣ୍ଟର ଠିକଣା ସଂଗ୍ରହ କରି ତା’ ନିକଟରେ ପହଞ୍ଚିଲେ। ସେ ଏଜେଣ୍ଟ ଜଣକ ୧୦୦୦ ଟଙ୍କା ନେଇ ଏମାନଙ୍କୁ ମୁମ୍ବାଇର ବାନ୍ଦ୍ରାରୁ ଦିଲ୍ଲୀର ନିଜାମୁଦ୍ଦିନ୍‌ ପର୍ଯ୍ୟନ୍ତ ଯାଉଥିବା ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ଟ୍ରେନ୍‌ର ସ୍ଲିପର କ୍ଲାସ୍‌ରେ ସଂରକ୍ଷିତ ଥିବା ଏକ ଟିକେଟ ଦେଲା। ଏହି ଟିକେଟଟିକୁ ଏଜେଣ୍ଟ ଜଣକ ଏକ ସ୍ୱତନ୍ତ୍ର ସଫ୍‌ଓ୍ଵାର ବ୍ୟବହାର କରି ସଂପୃକ୍ତ ଟ୍ରେନ୍‌ ପାଇଁ ତତ୍କାଳ ଟିକେଟ ବୁକିଂ ଆରମ୍ଭ ହେବାର ମାତ୍ର ୧ ମିନିଟ ୫୭ ସେକେଣ୍ଡ ଅର୍ଥାତ୍‌ ମାତ୍ର ୧୧୭ ସେକେଣ୍ଡ ମଧ୍ୟରେ ଏହି ରାଜେଶ କୁମାରଙ୍କ ନାମରେ ବାହାର କରି ଦେଇଥିଲା। ଅନୁସନ୍ଧାନକାରୀ ଦଳ ଏଜେଣ୍ଟ ଠାରୁ ଟିକେଟ ପାଇବା ପରେ ସେଠାରୁ ପଳାଇ ଆସିଲେ।

ପୁଣି ଥରେ ସେହିଦିନ ସନ୍ଧ୍ୟାରେ ଅନୁସନ୍ଧାନକାରୀ ଦଳ ଆଉଥରେ ଯାଇ ପହଞ୍ଚିଲେ ସେଇ ଏଜେଣ୍ଟ ନିକଟରେ। ଆମେ ଟିକିଏ ଅସୁବିଧାରେ ପଡ଼ିଗଲୁ ଯେଉଁ ରାଜେଶ କୁମାର ନାମରେ ଟିକଟ ହୋଇଥିଲା, ତା’ର କିଛି ଜରୁରୀ କାମ ପଡ଼ିଗଲା ସେ ମୁମ୍ବାଇରେ ରହିବା ଦରକାର। ଏପରିସ୍ଥିତିରେ ଅନ୍ୟ କେହି ଏହି ଟିକେଟରେ ଯାତ୍ରା କରିପାରିବ କି ବୋଲି ସେମାନେ ପଚାରିଥିଲେ ଏଜେଣ୍ଟକୁ। ଏଜେଣ୍ଟ ହଁ କହିବା ସହ ଏଥିପାଇଁ ୨୦୦ ଟଙ୍କା ଦେଇ ଏକ ଜାଲ ଆଧାର ପରିଚୟ ପତ୍ର ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଥିଲା। ଏବଂ ତାଙ୍କ ଠାରୁ ଟଙ୍କା ନେଇ ତାଙ୍କ ଟିମ୍‌ରେ ଥିବା କ୍ରିଷ୍ଣା ସିଂହ ନାମକ ଜନୈକ ବ୍ୟକ୍ତର ଫଟୋ ଉଠାଇ ତାକୁ ପୂର୍ବରୁ ଥିବା ରାଜେଶ କୁମାରର ଆଧାର କାର୍ଡ ଫଟୋ ଜାଗାରେ ମାରି ନୂଆ ଜାଲି କାର୍ଡ ବାହାର କରି ଟିକେଟ ସହ ଧରାଇଦେଲା। ସେ କାର୍ଡରେ ଠିକଣା, ଜନ୍ମତାରିଖ ଠାରୁ ଆରମ୍ଭ କରି ଆଧାର ନମ୍ବର ପର୍ଯ୍ୟନ୍ତ ସବୁ କିଛି ସମାନ ଥିଲା; ଖାଲି ଅଲଗା ଥିଲା ନାଁ ।

ସମ୍ବନ୍ଧିତ ଖବର