ଆତଙ୍କବାଦ ଉଜାଡ଼ୁଛି ଉପତ୍ୟକାର ଶାନ୍ତି: ୧୭୭ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ବାହାରକୁ ବଦଳି

ଅନନ୍ତନାଗ ଏନ୍‌କାଉଣ୍ଟର ହିଜବୁଲ କମାଣ୍ଡର ନିହତ

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ହାଇବ୍ରିଡ୍ ଆତଙ୍କବାଦ ଉଭୟ ସୁରକ୍ଷା ବଳ ତଥା ସ୍ଥାନୀୟ ଜନସାଧାରଣଙ୍କ ପ୍ରତି ବିରାଟ ଆହ୍ବାନ ରୂପେ ଉଭା ହୋଇଛି। ଏହାଦ୍ବାରା କାଶ୍ମୀରର ଜନତା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ହାଇବ୍ରିଡ୍‌ ଆତଙ୍କବାଦୀଙ୍କୁ ଯେଉଁମାନେ ପରିଚାଳନା କରୁଛନ୍ତି ସେମାନେ ବାଛିବାଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ହତ୍ୟା କରିବା ପାଇଁ ତାଙ୍କ ହାତରେ ଧରାଉଛନ୍ତି ପିସ୍ତଲ, ଗ୍ରେନେଡ୍ ପରି ଛୋଟ ଛୋଟ ଅସ୍ତ୍ର। ଏହାଦ୍ବାରା ସେମାନେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ସହ ଏହି ବାର୍ତ୍ତା ଦେବାକୁ ଚାହାନ୍ତି ଯେ କାଶ୍ମୀରରେ ଆତଙ୍କବାଦର ଅନ୍ତ ହେବା ସମ୍ଭବ ନୁହେଁ। କାଶ୍ମୀରୀ ଯୁବକମାନଙ୍କୁ ଆତଙ୍କବାଦୀରେ ପରିଣତ କରି ପାକିସ୍ତାନ ତା’ ପରାଜୟର ପ୍ରତିଶୋଧ ନେବାକୁ ଚାହୁଛି। ଗତ ତିନିମାସ ଭିତରେ ଏହି ଆତଙ୍କବାଦୀମାନେ ନିଜର ଲକ୍ଷ୍ୟଭେଦୀ ଆକ୍ରମଣରେ ୧୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିସାରିଲେଣି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୦ କାଶ୍ମୀରୀ ମୁସଲମାନ ଓ ଛଅଜଣ ହିନ୍ଦୁ। ଗତ ପାଞ୍ଚମାସ ଭିତରେ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ପିସ୍ତଲ ଦ୍ବାରା ଗୁଳି କରି ହତ୍ୟା କରାଯାଇଛି। ନିରସ୍ତ୍ର ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଛଡ଼ା ଏହି ଆତଙ୍କବାଦୀମାନେ ନିରସ୍ତ୍ର ପୁଲିସକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଗତ ଏପ୍ରିଲ ୧୮ ତାରିଖରେ ଉଗ୍ରବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲୱାମାଠାରେ ଥିବା କାକପୋରା ରେଳ ଷ୍ଟେସନ ବାହାରେ ଜଣେ ରେଳ ସୁରକ୍ଷା କର୍ମଚାରୀ (ଆର୍‌ପିଏଫ୍‌)ଙ୍କୁ ଗୁଳି କରି ହତ୍ୟା କରିବା ସହ ଆଉ ଜଣଙ୍କୁ ଗୁରୁତର ଆହତ କରିଥିଲେ। ହେଡ୍ କନ୍‌ଷ୍ଟେବଳ ସୁରିନ୍ଦର ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସବ୍‌ଇନ୍ସପେକ୍ଟର ଦେବରାଜ ଗୁରୁତର ଆହତ ହୋଇଥିଲେ ଏବଂ କିଛିଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୦୧୯ ଅଗଷ୍ଟ ୫ରେ ଯେତେବେଳେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଉଠାଇଦେଲେ ତା’ପରଠାରୁ ସରକାର ଲୋକମାନଙ୍କୁ ସଶକ୍ତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରି ଆସୁଛନ୍ତି। ଯୁବକମାନଙ୍କୁ ନିଯୁକ୍ତିର ସୁଯୋଗ ଦିଆଯାଇଛି, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି ଏବଂ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଆରମ୍ଭ କରିଛନ୍ତି। ଏଥରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଅତିମାତ୍ରାରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ବହୁ ସଂଖ୍ୟାରେ ଆତଙ୍କବାଦୀ ମୂଳପୋଛ ହୋଇଯିବା ପରେ ଏବେ ସେମାନେ ଟାର୍ଗେଟ୍‌ କିଲିଂର ରାସ୍ତା ଅାପଣାଇଛନ୍ତି। ବାହାରୁ ଆସି କାମ କରୁଥିବା ସଂଖ୍ୟାଲଘୁ ଶ୍ରମିକ ଓ କର୍ମଚାରୀମାନଙ୍କୁ ହତ୍ୟା କରିବା ଦ୍ବାରା କାଶ୍ମୀରୀମାନଙ୍କ ଭାବମୂର୍ତ୍ତି କଳଙ୍କିତ ହେଉଛି।

୧୭୭ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ବାହାରକୁ ବଦଳି
ଶ୍ରୀନଗର: କାଶ୍ମୀରରେ ଟା‌ର୍ଗେଟ୍‌ କିଲିଂ ବଢ଼ୁଥିବା ବେଳେ ଜମ୍ମୁ କାଶ୍ମୀର ସରକାର ଶ୍ରୀନଗରରେ ପୋଷ୍ଟିଂ ପାଇଥିବା ୧୭୭ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ବାହାରକୁ ବଦଳି କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି କାଶ୍ମୀର ସ୍ଥିତି ନେଇ ସମୀକ୍ଷା ବୈଠକ କରିବାର ଦିନକ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କାଶ୍ମୀର ଶିକ୍ଷା ବିଭାଗ ଦ୍ବାରା ବଦଳି କରାଯାଇଥିବା ୧୭୭ କାଶ୍ମୀର ପଣ୍ଡିତ ଶିକ୍ଷକଙ୍କ ତାଲିକା ସାର୍ବଜନୀନ କରିଛନ୍ତି। ତେବେ ଏହାକୁ ନେଇ ମଧ୍ୟ ସୁରକ୍ଷା ଚିନ୍ତା ବଢ଼ିଛି। କାରଣ ବଦଳି ହୋଇଥିବା ସମସ୍ତ କାଶ୍ମୀର ପଣ୍ଡିତଙ୍କ ନାମ ଏବଂ ସେମାନେ କେଉଁଠିକୁ ବଦଳି ହୋଇଛନ୍ତି ତାହା ଏହି ତାଲିକାରେ ପ୍ରକାଶ ପାଇଛି। ଏହି ତାଲିକା ସାର୍ବଜନୀନ କରିଥିବାରୁ ରାଜନୈତିକ ଦଳଗୁଡ଼ିକ ସରକାର ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି।

ଅନନ୍ତନାଗ ଏନ୍‌କାଉଣ୍ଟର ହିଜବୁଲ କମାଣ୍ଡର ନିହତ
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ହିଜବୁଲ କମାଣ୍ଡର ନିହତ ହୋଇଛି। ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ ମୁଜାହିଦ୍ଦିନ୍‌ର ଜଣେ କମାଣ୍ଡର ଏଚ୍‌ଏମ୍‌ ନିସାର ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିପାତ ହୋଇଛି। ତା’ ନିକଟରୁ ଏକେ ୪୭ ବନ୍ଧୁକ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି କାଶ୍ମୀର ପୁଲିସ ଆଇଜି ବିଜୟ କୁମାର ଏକ ଟ୍ବିଟ୍‌ କରି କହିଛନ୍ତି। ଜଣେ ପୁଲିସ ମୁଖପାତ୍ରଙ୍କ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଅନନ୍ତନାଗର ରିଶିପୁରା ଅଞ୍ଚଳରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର