ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ରକ୍ଷଣଶୀଳତା ପରି ତିନିଟି ପ୍ରମୁଖ ସମସ୍ୟା ହିଁ ଆମ ସମସ୍ତଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଦେଶର ବିକାଶ ପଥରେ ବାଧା ସୃଷ୍ଟି କରୁଥିବା ଏହି ସବୁ ପ୍ରତିବନ୍ଧକଗୁଡ଼ିକୁ ପ୍ରତିହତ କରିବା ନିମନ୍ତେ ତ୍ୱରିତ ପଦକ୍ଷେପ ହିଁ ବିଶ୍ୱ ମାନବ ଜାତି ପାଇଁ ମଙ୍ଗଳକର ହେବ। ଆଜି ସ୍ୱିଜରଲ୍ୟାଣ୍ଡ୍‌ର ଡାଭୋସ୍‌ ଠାରେ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୈତିକ ମଞ୍ଚ(ଡବ୍‌ଲ୍ୟୁଇଏଫ୍‌)ର ଦୁଇଦିନିଆ ୪୮ତମ ସମ୍ମିଳନୀରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ଆଣ୍ଟାର୍କଟିକାରେ ବ୍ୟାପକ ମାତ୍ରାରେ ତରଳିଯାଉଥିବା ହିମଶୈଳ ଯୋଗୁଁ ସମୁଦ୍ର ପତ୍ତନର ଅହେତୁକ ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରି ଏହାର ଆଶୁ ପ୍ରତିକାର ପାଇଁ ବିଶ୍ୱ ସମୁଦାୟ ବିକଳ୍ପ ବ୍ୟବସ୍ଥା ଆପଣେଇବକୁ ମୋଦି ଆହ୍ଵାନ ଦେଇଥିଲେ। ଏଭଳି ଚିନ୍ତାଜନକ ସ୍ଥିତିର ମୁକାବିଲା ପାଇଁ ଭାରତ ନିଜର ପାରମ୍ପରିକ ଶକ୍ତି ଚାହିଦାକୁ ଭରଣା କରିବା ଉଦ୍ଦେଶ୍ୟରେ ୨୦୨୨ ମସିହା ସୁଦ୍ଧା ୧୭୫ ଗିଗାଓ୍ଵାଟ୍‌ ନବୀକରଣଯୋଗ୍ୟ ଶକ୍ତି ପ୍ରସ୍ତୁତ କରିବାକୁ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ। ଏପରିକି ସମ୍ପ୍ରତି ଅଣପାରମ୍ପରିକ ଶକ୍ତିକୁ ପ୍ରାଧାନ୍ୟ ଦେଉଥିବା ଆମ ଦେଶ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟର ଏକ ତୃତୀୟାଂଶ ହାସଲ କରିସାରିଥିବା ସେ ସୂଚନା ଦେଇଥିଲେ।
ଆତଙ୍କବାଦ ଉପରେ ବକ୍ତବ୍ୟ ରଖି ମୋଦି କହିଥିଲେ ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ଏହି ଆତଙ୍କବାଦ ସମସ୍ୟା ଆହୁରି ଗମ୍ଭୀର ହୋଇପଡୁଛି ଯେତେବେଳେ କୌଣସି ଦେଶ ଭଲ ଆତଙ୍କବାଦ ଓ ମନ୍ଦ ଆତଙ୍କବାଦ ଭିତରେ ଫରକ ଅଛି ବୋଲି ବିଚାର କରୁଛି। ପରିତାପର ବିଷୟ, କୋମଳମତି ନାବାଳକମାନଙ୍କୁ ମଧ୍ୟ କଠୋରପନ୍ଥୀ ଭାବେ ସଜାଇଦିଆଯାଉଛି। ସେହିପରି ଅନ୍ୟତମ ଆହ୍ଵାନ ରକ୍ଷଣଶୀଳତା କିପରି ଉଦାରୀକରଣକୁ ହଟେଇ ଚାଲିବା ଦ୍ୱାରା ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସୀମାପାର୍‌ ବାଣିଜ୍ୟ କାରବାର ପ୍ରଭାବିତ ହେଉଛି ସେ ସମ୍ପର୍କରେ ମଧ୍ୟ ମୋଦି ନିଜର ଆଭିମୁଖ୍ୟ ରଖିଥିଲେ।
ଏହି ସବୁ ବିଶ୍ୱସ୍ତରୀୟ ପ୍ରମୁଖ ସମସ୍ୟା ସମ୍ପର୍କରେ ମୋଦି ୧୨୦ଟି ରାଷ୍ଟ୍ରର ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିବା ପୂର୍ବରୁ ପ୍ରଥମେ ୧୯୯୭ ମସିହା ଏବଂ ୨୦୧୭ ମସିହା ମଧ୍ୟରେ ବିତିଯାଇଥିବା କୋଡ଼ିଏ ବର୍ଷର ଏକ ତୁଳନାତ୍ମକ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଗୁଗଲ୍‌, ହ୍ୟାରି ପୋଟର, ୟୁରୋ ମୁଦ୍ରା, ଏସୀୟ ଆର୍ଥିକ ସଂକଟ ଏବଂ ବ୍ରେକ୍‌ଜିଟ୍‌ ପରି ପ୍ରସଙ୍ଗ ଉତ୍‌ଥାପନ କରି ବିଶ୍ୱ ଅନେକ କିଛି ପରିବର୍ତ୍ତନର ସାମନା କରିସାରିଛି ବୋଲି କହିଥିଲେ। ଆଜିର ଅଧିବେଶନରେ ଅଧ୍ୟକ୍ଷତା କରିଥିବା ଡବ୍‌ଲ୍ୟୁଇଏଫ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ କ୍ଲୋସ୍‌ ମାର୍ଟିନ୍‌ ସ୍କ୍ଵାବ୍‌ ମୋଦିଙ୍କୁ ସ୍ୱାଗତ କଲାବେଳେ ଏହି ସମ୍ମିଳନୀରେ ତାଙ୍କର ଉପସ୍ଥିତି ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି ବୋଲି କହିଥିଲେ।
ଗତ ୨୦ ବର୍ଷ ଭିତରେ ଏଭଳି ସମ୍ମିଳନୀରେ ପ୍ରଥମ କରି ଯୋଗଦେଇଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବୈଦେଶିକ ବ୍ୟାପାର ବିଭାଗ ସଚିବ(ଅର୍ଥନୈତିକ ସମ୍ପର୍କ) ବିଜୟ ଗୋଖଲେ, ବୈଦେଶିକ ସଚିବ ଜୟଶଙ୍କର ଏବଂ ଶିଳ୍ପ ନୀତି ଓ ସମ୍ବର୍ଦ୍ଧନ ବିଭାଗ ସଚିବ ରମେଶ ଅଭିଷେକ ପ୍ରମୁଖ ଡାଭୋସ୍‌ ଗସ୍ତ କରିଛନ୍ତି। ଏହି ସମ୍ମିଳନୀ ଅବସରରେ ବିଂଶତମ କ୍ରିଷ୍ଟାଲ ପୁରସ୍କାର ପ୍ରଦାନ ଉତ୍ସବ ଅନ୍ୟତମ ଆକର୍ଷଣ ଥିଲା। ମାନବାଧିକାର ସଚେତନତା ଏବଂ ଏସିଡ୍‌ଆକ୍ରମଣ ପୀଡ଼ିତାଙ୍କୁ ସହାୟତା ପାଇଁ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କୁ କ୍ରିଷ୍ଟାଲ ପୁରସ୍କାର ପ୍ରଦାନ କରାଯାଇଥିଲା।