ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନି

ଜାମ୍ମୁ: ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ନିରାପଦ ସ୍ଥାନ ଓ ଆଥିର୍କ ସହାୟତା ଯୋଗାଉଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ଉପରେ ନଜର ରଖିବାକୁ ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି। ତାଙ୍କ ଦୁଇ ଦିନିଆ ଜାମ୍ମୁ କାଶ୍ମିର ଗସ୍ତ ଅବସରରେ ରାଜଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ କହିଲେ ଯେ, ଜମ୍ମୁ କାଶ୍ମିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ସ୍ତରରେ ସମୃଦ୍ଧ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ୨୦୧୮ରେ ଏଠାରେ ୪୧୭ଟି ଆତଙ୍କବାଦୀ କାର୍ଯ୍ୟକଳାପ ଘଟିଥିବାବେଳେ ୨୦୨୧ ବେଳକୁ ଏହା ୨୨୮କୁ ହ୍ରାସ ପାଇଛି। ସେହି ହିସାବରେ ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟାକୁ ବି ହ୍ରାସ କରାଯାଇଛି।

୨୦୧୮ରେ ଏଠାରେ ୯୧ ସୁରକ୍ଷା କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ୨୦୨୧ରେ ଏହା ୪୨କୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ କାଶ୍ମୀର ଉପରେ ଯେଉଁ ଦୁରଦୃଷ୍ଟି ରହିଛି ତାହାକୁ ସକାରାତ୍ମକ ରୂପ ଦେବାକୁ ଆମକୁ ଚେଷ୍ଟା କରିବାକୁ ପଡିବ ବୋଲି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। ତେବେ ସୁରକ୍ଷା ବାହିନୀ ଓ ପୁଲିସ ମଧ୍ୟରେ ସମନ୍ବୟ ରହିଲେ ଆତଙ୍କବାଦୀଙ୍କୁ ମୂଳୋତ୍ପାଟନ କରାଯାଇପାରିବ। ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ତଥା ଜେଲରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସେ ଗୁରୁତ୍ବ ଦେଇଥିଲେ। ତେବେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଜାମ୍ମୁ କାଶ୍ମୀରରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମଜବୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜାମ୍ମୁ କାଶ୍ମୀରର ଗଭର୍ଣ୍ଣର ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର