ଜମ୍ମୁ-କାଶ୍ମୀରରେ ‘ପର୍ଫ୍ୟୁମ୍ ବୋମା’ ସହ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲିସ ଶିକ୍ଷକରୁ ଆତଙ୍କବାଦୀ ସାଜିଥିବା ଜଣେ ସରକାରୀ ସ୍କୁଲ ଶିକ୍ଷକକୁ ଗିରଫ କରିବା ସହ ତା’ ହାତରୁ ଏକ ପର୍ଫ୍ୟୁମ୍ ବଟଲ ବୋମା ଜବତ କରିଛି। ଗିରଫ ଆରିଫ ହେଉଛି ରିଆସି ଜିଲ୍ଲା ବାସିନ୍ଦା। ଜମ୍ମୁର ନରୱାଲ ଅଞ୍ଚଳରେ ଜାନୁଆରି ୨୧ ତାରିଖରେ ଘଟିଥିବା ଯୁଗ୍ମ-ବିସ୍ଫୋରଣ, ଯେଉଁଥିରେ ୯ ଜଣ ଲୋକ ଆହତ ହୋଇଥିଲେ, ତା’ ଉପରେ ତଦନ୍ତ କରୁକରୁ ପୁଲିସ ଆରିଫକୁ ଗିରଫ କରିଥିଲା। ଗତବର୍ଷ ମେ ମାସରେ ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଭିତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆରିଫର ଭୂମିକା ଥିବା ସେ ଜେରାବେଳେ ସ୍ବୀକାର କରିଛି।

ଜମ୍ମୁ-କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା ସହ ଆରିଫର ସମ୍ପର୍କ ଅଛି। ତା’ଠାରୁ ଏକ ପର୍ଫ୍ୟୁମ୍ ବୋମା ଜବତ କରାଯାଇଛି। ଏକ ପର୍ଫ୍ୟୁମ୍ ବୋତଲକୁ ବିସ୍ଫୋରକ ଯନ୍ତ୍ର (ଆଇଡି)ରେ ପରିଣତ କରାଯାଇଛି। ପର୍ଫ୍ୟୁମ୍ ଭାବି ଏହି ବୋତଲକୁ ଯିଏ ଖୋଲିବାକୁ ବା ତା’ ଠିପି ଦବେଇବାକୁ ଚେଷ୍ଟା କରିବ, ସିଏ ବିସ୍ଫୋରଣର ଶିକାର ହେବ। ତେବେ ଏ ଧରଣର ପର୍ଫ୍ୟୁମ୍ ବୋମା ପ୍ରଥମ କରି ମିଳିଥିବା ଡିଜିପି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର