ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ଏସ୍‌ପିଓଙ୍କ ସମେତ ପତ୍ନୀ, ଝିଅକୁ ହତ୍ୟା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ଜଣେ ଏସ୍‌ପିଓଙ୍କ ଘରେ ପଶି ଆଖି ବୁଜା ଗୁଳି ଚଳାଇଛନ୍ତି। ଫଳରେ ଏସ୍‌ପିଓଙ୍କ ସମେତ ତାଙ୍କ ପତ୍ନୀ ଏବଂ ଝିଅଙ୍କର ମୃତ୍ୟୁ ହୋଇଛି। ଜମ୍ମୁ କାଶ୍ମୀର ପୁଲୱାମାର ହରିପରିଗ୍ରାମରେ ଏହି ଘଟଣା ଘଟିଛି। ଏସ୍‌ପିଓ ଫୟଜ ଅହମଦ, ତାଙ୍କ ପତ୍ନୀ ରଜା ବେଗମ୍‌ ଏବଂ ଝିଅ ଘରେ ଥିବା ସମୟରେ ଆତଙ୍କବାଦୀମାନେ ଭିତରକୁ ଧସେଇ ପଶିଥିଲେ। ସେତେବେଳକୁ ରାତି ପ୍ରାୟ ୧୧ଟା ହୋଇଥିଲା। ‌ଆତଙ୍କବାଦୀମାନେ ପ୍ରଥମେ ଏସ୍‌ପିଓଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏସ୍‌ପିଓଙ୍କୁ ରକ୍ଷା କରିବାପାଇଁ ପତ୍ନୀ ଏବଂ ଝିଅ ଚେଷ୍ଟା କରିଥିବାବେଳେ ସେମାନଙ୍କ ଉପରକୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ। ଫଳରେ ସେମାନେ ଗୁଳିମାଡ଼ର ଶିକାର ହୋଇଥିଲେ।

ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଏସ୍‌ପିଓ ଏବଂ ତାଙ୍କ ପତ୍ନୀଙ୍କର ସଙ୍ଗେସଙ୍ଗେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷେ ଏସ୍‌ପିଓଙ୍କ ଝିଅଙ୍କୁ ଚିକିତ୍ସା ପାଇଁ ଏକ ବଡ଼ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ସମ୍ପୃକ୍ତ ଘଟଣା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ଏବଂ ତଲାସୀ ଜାରି ରହିଛି। ଉକ୍ତ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହତ୍ୟାକାଣ୍ଡରେ ଜଣେ ବିଦେଶୀ ଆତଙ୍କବାଦୀଙ୍କ ସମେତ ଜୈସ ଏ ମହମ୍ମଦର ୨ ଜଣ ସାମିଲ ଥିବା ଜଣାପଡ଼ିଛି। ଜମ୍ମୁ ବାୟୁସେନା ଘାଟିରେ ଆକ୍ରମଣର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ଜମ୍ମୁ କାଶ୍ମୀରର ପ୍ରମୁଖ ରାଜନେତାମାନେ ଏହ‌ି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଏନ୍‌ସି ଉପସଭାପତି ଓମାର ଅବଦୁଲ୍ଲା, ପିଡିପି ସଭାପତି ମେହବୁବା ମୁଫ୍‌ତି ଘଟଣାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର