ଭାରତରେ ଥିବା ମନ୍ଦିରମାନଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ, ଗୁଇନ୍ଦା ସୂଚନା ମିଳିବା ପରେ ହାଇଆଲର୍ଟ ଜାରି

ଶ୍ରୀନଗର: ଜାମ୍ମୁକାଶ୍ମୀର ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡା ମୁକାବିଲା କରୁଥିବା ଭାରତୀୟ ସେନାର ଅପରେସନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ | ଆଉ ଏଥିପାଇଁ ଭାରତର କିଛି ସ୍ଥାନରେ ବିସ୍ଫୋରଣ କରି ସୁରକ୍ଷକର୍ମୀଙ୍କ ମନୋବଳ ହ୍ରାସ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର ହୋଇଛି | ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ଭାରତରେ ସାମ୍ପ୍ରଦାୟିକ ଉତ୍ତେଜନା ବିସ୍ତାର କରିବା ପାଇଁ ଜାମ୍ମୁରେ ଥିବା କିଛି ମନ୍ଦିର ଉପରେ ଆକ୍ରମଣ ଯୋଜନା କରୁଛନ୍ତି। ଗୁପ୍ତଚର ଏଜେନ୍ସିରୁ ଇନପୁଟ ପାଇବା ପରେ ଜାମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଅଗଷ୍ଟ ୫ ଏବଂ ୧୫ ରେ ଜାମ୍ମୁରେ ଥିବା ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି। ସୂଚନା ଥାଉ କି ଯେ ଅଗଷ୍ଟ ୫, ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବାର ଦ୍ୱିତୀୟ ବାର୍ଷିକୀ ହୋଇଥିବାବେଳେ ଅଗଷ୍ଟ ୧୫ ହେଉଛି ସ୍ୱାଧୀନତା ଦିବସ | ଏହି ଅବସରରେ ଆତଙ୍କବାଦୀ ସଂଗଠନ ଭାରତରେ ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି। ଆତଙ୍କବାଦୀ ସଂଗଠନମାନେ ଡ୍ରୋନ୍ ମାଧ୍ୟମରେ ବିସ୍ଫୋରକ ସାମଗ୍ରୀ ପକାଇ ଏହି ଷଡଯନ୍ତ୍ର କରିବାକୁ ଯୋଜନା କରିଛନ୍ତି ।

ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ଭାରତ ଓ ପାକିସ୍ତାନ ସୀମାରେ ଏକ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୁରକ୍ଷା ଏଜେନ୍ସି ଅନୁଯାୟୀ ଜୈଶ ଏବଂ ଲଶ୍କର ଭଳି ଆତଙ୍କବାଦୀ ସଂଗଠନର ଧ୍ୟାନ ବର୍ତ୍ତମାନ କାଶ୍ମୀର ଅପେକ୍ଷା ଜାମ୍ମୁ ଉପରେ ଅଧିକ ରହିଛି, ଯେଉଁଥିପାଇଁ ସେମାନେ ଡ୍ରୋନ୍ ବ୍ୟବହାର କରି ଆଇଡି ପଠାଉଛନ୍ତି ଓ ଆକ୍ରମଣ କରିବାକୁ ଚିନ୍ତା କରୁଛନ୍ତି |

ସମ୍ବନ୍ଧିତ ଖବର