ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

ଶ୍ରୀନଗର : ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ଏକ ସିଆରପିଏଫ୍‌ ପାଟ୍ରୋଲ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୫ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଜମ୍ମୁ କଶ୍ମୀରର ଜଣେ ପୁଲିସ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ୫ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

ସାମରିକ ସୂତ୍ରରୁ ପ୍ରକାଶ ଯେ ଅନନ୍ତନାଗର ବ୍ୟସ୍ତବହୁଳ କେପି ରୋଡ୍‌ରେ ଆଜି ସିଆରପିଏଫ୍‌ ପା‌ଟ୍ରୋଲ୍‌ ପାର୍ଟି ଉପରକୁ ଦୁଇ ଜଣ ଆତଙ୍କବାଦୀ ବାଇକ୍‌ରେ ଆସି ଆଖିବୁଜା ଗୁଳିମାଡ଼ କରିବା ସହ ଗ୍ରେନେଡ ଆକ୍ରମଣ କରିଥିଲେ। ସେମାନେ ପ୍ରଥମେ ସ୍ବୟଂଚାଳିତ ବନ୍ଧୁକରୁ ଗୁଳି ଚାଳନା କରିଥିଲେ ଏବଂ ପରେ ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ୩ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନନ୍ତନାଗ ଷ୍ଟେସନ୍‌ ହାଉସ ଅଫିସର ଆର୍ସଦ ଅହମଦ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇ ଏବେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ତେବେ ଯବାନଙ୍କ ପାଲଟା ଆକ୍ରମଣ‌ରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ହୋଇଥିବାବେଳେ ତାଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଜଣେ ମହିଳା ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନ ସମର୍ଥିତ ଏକ ଆତଙ୍କବାଦୀ ଗୋଷ୍ଠୀ ଅଲ୍‌ ଉମର ମୁଜାହିଦ୍ଦିନ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସମ୍ପୃକ୍ତ ଅଞ୍ଚଳକୁ ଏବେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର