ଆତଙ୍କବାଦୀ ଆକ୍ରମଣରେ ୬ ଶ୍ରମିକ ମୃତ

ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ଆଜି କଶ୍ମୀରରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନିହତ ୬ ଶ୍ରମିକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ବୋଲି ଶ୍ରୀନଗର ପୁଲିସ ସୂଚନା ଦେଇଛି। ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଭଳି ଖବର ମିଳିବା ପରେ ଦକ୍ଷିଣ କଶ୍ମୀର ପୁଲିସ ଡିଆଇଜିଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଘଟଣା ସ୍ଥଳକୁ ପଠାଯାଇଛି ବୋଲି ଜମ୍ମୁ-କଶ୍ମୀରର ପୁଲିସ ଡିଜି ଦିଲ୍‌ବାଗ ସିଂହ ସୂଚନା ଦେଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ନିହତ ୬ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଛି। ସେମାନେ ହେଲେ ମୁର୍ଶିଦାବାଦର ଶେଖ୍‌ କର୍ମୁଦ୍ଦିନ, ଶେଖ୍‌ ମହମ୍ମଦ ରଫିକ୍‌ ଓ ଶେଖ୍‌ ମର୍ନୁସିଲିନ୍‌। ଫଳ ବଗିଚାରେ ପରିବହନ କାର୍ଯ୍ୟରେ ଏହି ଶ୍ରମିକମାନେ ନିୟୋଜିତ ଥିଲାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ୍‌ କରିଥିଲେ। ବର୍ତ୍ତମାନ କଶ୍ମୀରରେ ସେଓ ଅମଳ ଋତୁ ଚାଲିଛି ଏବଂ ଏଥିରେ ବାହାର ରାଜ୍ୟର ଶ୍ରମିକମାନେ ନିୟୋଜିତ ଅଛନ୍ତି। ଆତଙ୍କବାଦୀ ସେଓ ବଗିଚାରେ ନିୟୋଜିତ ଶ୍ରମିକ ଓ ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ୍‌ ଡ୍ରାଇଭରଙ୍କୁ ଟାର୍ଗେଟ୍‌ କରୁଛନ୍ତି। କଶ୍ମୀରରେ ସେଓ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଲକ୍ଷ୍ୟରେ ଆତଙ୍କବାଦୀମାନେ ଏଭଳି କରୁଛନ୍ତି। ଆଜି ୟୁରୋପୀୟ ସଂଘର ସାଂସଦମାନେ ଶ୍ରୀନଗର ଗସ୍ତରେ ଥିଲାବେଳେ ଆତଙ୍କବାଦୀ ଏଭଳି କାଣ୍ଡ ଘଟାଇଛନ୍ତି। ଦୁଇଦିନ ତଳେ ଅନନ୍ତନାଗ ଜିଲ୍ଲାରେ ଦୁଇ ଜଣ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ କଶ୍ମୀରରେ ଶ୍ରମିକ ଓ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର