ଭାରତ ଅଷ୍ଟମ ଆତଙ୍କବାଦ ଉପଦ୍ରୁତ ଦେଶ

ଶୀର୍ଷରେ ଇରାକ, ପଞ୍ଚମରେ ପାକିସ୍ତାନ,ଦୁଇ ବର୍ଷରେ ମୃତ୍ୟୁ ଘଟଣା ୨୨%କମିଛି

ନୂଆଦିଲ୍ଲୀ: ସୌହାର୍ଦ୍ଦ ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଚାହୁଥିବା ବେଳେ ସେଥିପ୍ରତି ସମ୍ପ୍ରତି ଆତଙ୍କବାଦ ହିଁ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏହାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଯେତେ ସହମତି ପ୍ରକାଶ ପାଇଥିଲେ ହେଁ ଆତଙ୍କବାଦର ମୂଳୋତ୍ପାଟନ ହୋଇ ନପାରିବା ବିଶ୍ୱବ୍ୟାପୀ ଚିନ୍ତାର କାରଣ ସାଜିଛି। ତେବେ ବିଗତ ଦୁଇ ବର୍ଷ ଧରି ମୋଟାମୋଟି ଆତଙ୍କବାଦ ଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ହେବା କିଛି ପରିମାଣରେ ଆଶ୍ୱସ୍ତି ଆଣିଛି। ତଥାପି କୁଖ୍ୟାତ ଆତଙ୍କବାଦ ସଂଗଠନ ଆଇଏସ୍‌ ଯୋଗୁଁ ଏକମାତ୍ର ଇରାନ ୯ ହଜାରରୁ ଅଧିକ ମୃତ୍ୟୁ ସମ୍ଭାଳିଛି। ଏଥି ସହିତ ଇରାକ ଆତଙ୍କବାଦ ଉପଦ୍ରୁତ ରାଷ୍ଟ୍ରମାନଙ୍କ ମଧ୍ୟରେ ଶୀର୍ଷରେ ରହିଥିବା ବେଳେ ତାହା ପଛକୁ ଆଫଗାନିସ୍ତାନ, ନାଇଜେରିଆ, ସିରିଆ ଏବଂ ପାକିସ୍ତାନ ରହିଛନ୍ତି।

ଅପରପକ୍ଷେ, ପାଶ୍ଚାତ୍ୟ ସଂଗଠନ ଓଇସିଡି ଅନ୍ତର୍ଗତ ଫ୍ରାନ୍ସ, ଜର୍ମାନୀ, ବେଲଜିଅମ୍‌ ଆଦି ରାଷ୍ଟ୍ରଗୁଡ଼ିକରେ ଆତଙ୍କବାଦ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣରେ ୧୬୬ ମୃତ୍ୟୁକୁ ସାମନା କରିଥିବା ଭାରତ ଏହି ଆତଙ୍କବାଦ ଉପଦ୍ରୁତ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ସ ଆଣ୍ଡ୍‌ ପିସ୍‌(ଆଇଇପି) ନାମକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ଆତଙ୍କବାଦ ସୂଚୀ-୨୦୧୭(ଜିଟିଆଇ)ରୁ ଏଭଳି ସୂଚନା ମିଳିଛି।

୨୦୦୦ ମସିହା ପ୍ରାରମ୍ଭରୁ ୨୦୧୬ ଶେଷ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଂଘଟିତ ଆତଙ୍କବାଦୀ ହିଂସା ଘଟଣାକୁ ତର୍ଜମା କରି ଜିଟିଆଇ-୨୦୧୭ରୁ ଏଭଳି ନିର୍ଯ୍ୟାସ ମିଳିଛି। ଆଇଇପିର ଅନୁଧ୍ୟାନ ଅନୁଯାୟୀ, ୨୦୧୪ ମସିହାରେ ବିଶ୍ୱରେ ସାମଗ୍ରିକ ଭାବେ ଆତଙ୍କବାଦ ଜନିତ ହିଂସା ଏବଂ ମୃତ୍ୟୁସଂଖ୍ୟା ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ତେବେ ୨୦୧୬ ବେଳକୁ ଏଥିରେ ୨୨ ପ୍ରତିଶତ ହ୍ରାସ ଘଟିଛି। ତଥାପି ଏହା ଚିନ୍ତାଜନକ ସ୍ଥିତିରେ ରହିଛି। କେବଳ ୨୦୧୬ ମସିହାରେ ଆତଙ୍କବାଦୀ ଆକ୍ରମଣରେ ଇରାକ, ଆଫଗାନିସ୍ତାନ, ନାଇଜେରିଆ, ସିରିଆ ଏବଂ ପାକିସ୍ତାନରେ ଯଥାକ୍ରମେ ୯୭୬୫, ୪୫୭୪,୧୮୩୨, ୨୧୦୨ ଓ ୯୫୬ ଜଣଙ୍କର ମୃତ୍ୟୁ ହୋଇଛି। ୨୦୦୩ ରେ ଇରାକ ଉପରେ ଆମେରିକାର ଆକ୍ରମଣ ପୂର୍ବରୁ ସେଠାରେ ଆତଙ୍କବାଦ କାର୍ଯ୍ୟକଳାପ ସର୍ବନିମ୍ନ ଥିବା ବେଳେ ଗତ ୧୩ ବର୍ଷ ଧରି ଏହା କ୍ରମାଗତ ବଢ଼ି ଏବେ ଶୀର୍ଷରେ ପହଞ୍ଚିଛି।

ଅପରପକ୍ଷେ, ଭାରତ କ୍ଷେତ୍ରରେ ୨୦୧୬ ମସିହାରେ ପୂର୍ବ ବର୍ଷ ଅପେକ୍ଷା ଆତଙ୍କବାଦ ଜନିତ ମୃତ୍ୟୁ ସଂଖ୍ୟା ୧୮ ପ୍ରତିଶତ ବଢ଼ିଛି। ତଥାପିି ୨୦୦୦ ମସିହା ପରଠାରୁ ତାହା ତୃତୀୟ ସର୍ବନିମ୍ନ ରହିଛି। ୨୦୦୦ ମସିହା ଜିଟିଆଇ ସୂଚୀରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୫ରେ ଏହା ଷଷ୍ଠରେ ଥିଲା। ଯଦିଓ ୨୦୧୬ ମସିହାରେ ଏହି ମୃତ୍ୟୁ ସଂଖ୍ୟା କମିବା ସହ ଭାରତର ସ୍ଥାନ ଅଷ୍ଟମକୁ ଖସିଆସିଛି, ତେବେ ଆତଙ୍କବାଦ ହିଂସା ଘଟଣା ୨୦୧୫ ମସିହା ତୁଳନାରେ ୧୬ ପ୍ରତିଶତ ବଢ଼ିଥିବା ଜଣାଯାଇଛି। ଏପରିକି ଆତଙ୍କବାଦ ହିଂସା ଘଟଣା ବିଗତ ୪ ବର୍ଷ ଧରି ଲଗାତାର ବଢ଼ିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର