ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ଜେଇଏମ୍‌ର ୫ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ : ଜାନୁଆରି ୨୬ ତାରିଖରେ ଜମ୍ମୁ-କାଶ୍ମୀରରେ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ୫ ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରିଛି। ଏହି ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଜଣାପଡ଼ିଛି। ଶ୍ରୀନଗର ପୁଲିସ ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଗିରଫ ଆତଙ୍କବାଦୀମାନେ ହଜରତବଲ୍‌ ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଆତଙ୍କବାଦୀଙ୍କଠାରୁ ଆତ୍ମଘାତୀ ଆକ୍ରମଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବିସ୍ଫୋରକ ମିଳିଛି। କ୍ଷୁଦ୍ରାସ୍ତ୍ର, ୱାକିଟକି, ଡିଟୋନେଟର, ‌ଜିଲୋଟିନ୍‌ ଷ୍ଟିକ୍‌, ନାଇଟ୍ରିକ୍ ଏସିଡ୍‌ ବଟଲ୍‌ ମିଳିଥିବା ବେଳେ ମାନବ ବୋମା ସାଜିବାକୁ ମଧ୍ୟ ସେମାନେ ପ୍ରସ୍ତୁତ ଥିଲେ ବୋଲି ଜଣାପଡ଼ିଛି। ଆଗକୁ ସାଧାରଣତନ୍ତ୍ର ଦିବସ ଥିବାବେଳେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜୈଶର ବଡ଼ ଆକ୍ରମଣ ଷଡ଼ଯନ୍ତ୍ର ଧରା ପଡ଼ିବା ପରେ ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଶ୍ରୀନଗର ପୁଲିସ ଦାବି କରିଛି ଯେ ଆଜିର ଗିରଫଦାରି ଦ୍ବାରା ପୂର୍ବରୁ ଘଟିଥିବା ଅନେକ ଅପରାଧ ସଂପର୍କରେ ତଥ୍ୟ ମିଳିପାରିବ। ଜାନୁଆରି ୮ ତାରିଖରେ ଶ୍ରୀନଗରରେ ବି‌ସ୍ଫୋରଣ ଏବଂ ୨୦୧୯ ନଭେମ୍ବର ୨୬ ତାରିଖର ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ଆଜି ଗିରଫ ହୋଇଥିବା ଦୁଇଜଣ ଆତଙ୍କବାଦୀଙ୍କ ଭୂମିକା ଥିବା ସେମାନେ ସ୍ବୀକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପର୍ଯ୍ୟାୟକ୍ରମେ କଟକଣା ହଟାଯାଉଛି। ଏଭଳି ସ୍ଥିତିରେ ଶ୍ରୀନଗରରେ ୫ ଆତଙ୍କବାଦୀ ଗିରଫ ହେବା ବିଷୟ ହଇଚଇ ସୃଷ୍ଟି କରିଛି। ଗତ ବର୍ଷ ଫେବ୍ରୁଆରି ୧୪ରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଖୁବ୍‌ ଭୟଙ୍କର ଥିଲା। କିନ୍ତୁ ଗୁଇନ୍ଦା ବିଭାଗର ସଠିକ୍‌ ସୂଚନା ଯୋଗୁଁ ଏବେ ପୁଲିସ ଏକ ଆକ୍ରମଣ ଯୋଜନାକୁ ପଣ୍ଡ କରିବା‌ରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର