ୱାସିଂଟନ: ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅର୍ଲିନ୍ସରେ ଆଜି ନୂଆବର୍ଷ ପାଳୁଥିବା ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି। ଆକ୍ରମଣକାରୀ ଏକ ଟ୍ରକ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ଲୋକଙ୍କ ଉପରେ ମଡ଼ାଇ ଚାଲିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ରୁ ଅଧିକ ଆହତ ହୋଇଛନ୍ତି। ରାତି ପ୍ରାୟ ୩ଟା ୧୫ ମିନିଟ୍ରେ ବୋର୍ବନ୍ ଷ୍ଟ୍ରିଟ୍ ଓ ଇବର୍ଭିଲ୍ ଛକରେ ଏହି ଘଟଣା ଘଟିଛି। ଟ୍ରକ୍ ଦ୍ରୁତ ବେଗରେ ଭିଡ଼କୁ ଧକ୍କା ଦେବାପରେ ଡ୍ରାଇଭର୍ ବାହାରକୁ ଆସି ସ୍ବୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲା। ଆକ୍ରମଣକାରୀ ସହ ପୁଲିସର କିଛି ସମୟ ଗୁଳି ବିନିମୟ ହୋଇଥିଲା ଏବଂ ପ୍ରାୟ ୨ ଘଣ୍ଟା ପରେ ଆକ୍ରମଣକାରୀ ନିହତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ଗୁଳିରେ ଆକ୍ରମଣକାରୀ ନିହତ
ଘଟଣା ଘଟିବା ସମୟରେ ଉକ୍ତ ଅଂଚଳରେ ୩୦୦ରୁ ଅଧିକ ପୁଲିସ କର୍ମୀଙ୍କ ଉପସ୍ଥିତି ସତ୍ତ୍ବେ ଏଭଳି ଆତଙ୍କୀ ଆକ୍ରମଣ ଘଟିଛି। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍ବିଆଇ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଥିବା ବେଳେ ଏହାକୁ ନେଇ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରିଛି ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ନିକଟସ୍ଥ ବୋର୍ବନ୍ ଷ୍ଟ୍ରିଟରେ ନବବର୍ଷ ପାଳନ ପାଇଁ ରାସ୍ତା ଉପରେ ପ୍ରାୟ ୧୫ ଶହରୁ ଅଧିକ ଲୋକ ସମବେତ ହୋଇଥିବା ସମୟରେ ଏହି ଆକ୍ରମଣ ହୋଇଛି। ଅଧିକ ଆକ୍ରମଣ ଆଶଙ୍କାରେ ଲୋକଙ୍କୁ ଉକ୍ତ ଅଂଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।