କାବୁଲରେ ତାଲିବାନ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ, ୧୦ ନିହତ

କାବୁଲ : ଦୁଇ ଦିନର ବ୍ୟବଧାର ପରେ ଆଜି ପୁଣି ବିସ୍ଫୋରଣରେ ଥରିଉଠିଛି ଆଫଗାନିସ୍ତାନର ରାଜଧାନୀ କାବୁଲ । କାବୁଲର ଅତି ସୁରକ୍ଷିତ ପୋଲିସ ଡିଷ୍ଟ୍ରିକ୍ଟ-୯ ଅଞ୍ଚଳରେ ଏହି କାର ବୋମା ବିସ୍ଫୋରଣ ହୋଇଥିବା ଜଣାଯାଇଛି । ଏହି ଅଞ୍ଚଳରେ ଆମେରିକା ଓ ଅନ୍ୟ କେତେକ ଦେଶର ଦୂତାବାସ ମଧ୍ୟ ରହିଛି । ଏହି ଘଟଣାରେ ୧୦ ଜଣ ବ୍ୟକ୍ତି ନିହତ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଚଳିତ ସପ୍ତାହରେ ଏହା ହେଉଛି ୨ୟ ଆତଙ୍କବାଦୀ ଆକ୍ରମଣ ।

ତାଲିବାନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି । ତାଲିବାନ ପକ୍ଷରୁ ଏପରି ସମୟରେ ଆକ୍ରମଣ କରାଯାଇଛି, ଯେଉଁ ସମୟରେ ଆମେରିକା ନିଜର ସୈନ୍ୟମାନଙ୍କ ସୁରକ୍ଷିତ ପ୍ରତ୍ୟାହାର କରିବାକୁ ତାଲିବାନ ସହିତ ଆଲୋଚନା କରୁଛି । ଏହି ଆଲୋଚନା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ସୃଷ୍ଟି ହୋଇଥିବା କୁହାଯାଉଛି । କିନ୍ତୁ ଏପରି ସମୟରେ ଆକ୍ରମଣ ଦୁଇ ପକ୍ଷ ମଧ୍ୟରେ ସମ୍ପର୍କକୁ ପଛକୁ ନେଇଯିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର