ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ଭାରତୀୟ ସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ତେବେ ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

Advertisment

ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାର ଖାନେତାର ଅଞ୍ଚଳରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଯାହା ପରେ ସୈନିକମାନଙ୍କୁ ଜବାବ ଦେବାକୁ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା କେହି ଆହତ କିମ୍ବା ମୃତାହତ ହୋଇନଥିବା ଜଣାପଡିଛି । ଖବର ଲେଖାହେବା ବେଳକୁ ଗୁଳିବିନିମୟ ଜାରି ରହିଥିଲା। ସେନା ପକ୍ଷରୁ ଏହି ଅଞ୍ଚଳକୁ ଖାଲି କରି ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟପକ୍ଷରେ କେତେ ଆତଙ୍କବାଦୀ ଲୁଚି ରହିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ପୁଞ୍ଚର ରାସ୍ତା ନିକଟରେ ଥିବା ଏକ ପାହାଡ଼ରୁ ସେନା ଗାଡ଼ି ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏଥିରେ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

ପିର ପଞ୍ଜାଲ ରେଞ୍ଜ ଅଧୀନରେ ଥିବା ରାଜୌରୀ ଓ ପୁଞ୍ଚ ସେକ୍ଟର ୨୦୦୩ରୁ ଆତଙ୍କବାଦ ମୁକ୍ତ ଥିଲେ ମଧ୍ୟ ଅକ୍ଟୋବର ୨୦୨୧ରୁ ଏଠାରେ ବଡ଼ ଧରଣର ଆକ୍ରମଣ ଆରମ୍ଭ ହୋଇଛି। ଗତ ୭ ମାସ ମଧ୍ୟରେ ଏଠାରେ ଅଫିସର ଓ କମାଣ୍ଡୋଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଏହି ସବୁ ଅଞ୍ଚଳରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୩୫ରୁ ଅଧିକ ଯବାନ ସହିଦ ହୋଇଛନ୍ତି।