ଗୌହାଟୀ : ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଶନିବାର ଏକ ଆତଙ୍କବାଦୀ ଆକ୍ରମଣରେ ୪୬ ଆସାମ ରାଇଫଲ୍ସର ଜଣେ କର୍ନେଲ ଏବଂ ଅନ୍ୟ ୪ ଜଣ ଯବାନ ସହିଦ ହୋଇଯାଇଛନ୍ତି। କର୍ନେଲ୍ଙ୍କର ପତ୍ନୀ ଏବଂ ୮ ବର୍ଷର ପୁଅଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ହୋଇଯାଇଛି। ଶନିବାର ଦିନ ୧୧ଟାରେ ମିଆଁମାର ସୀମା ନିକଟରେ ଏହି ଆକ୍ରମଣ ହୋଇଛି। କମାଣ୍ଡିଂ ଅଫିସର କର୍ନେଲ୍ ବିପ୍ଳବ ତ୍ରିପାଠୀ ଏବଂ ତାଙ୍କ ପରିବାର ସଦସ୍ୟ ଆଗୁଆ ଘାଟିକୁ ଯାଇଥିଲେ। ସେମାନେ ସେଠାରୁ ବାଟାଲିଅନ୍ ମୁଖ୍ୟାଳୟକୁ
ଫେରୁଥିବା ସମୟରେ ବାଟରେ ସେମାନଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ପ୍ରଥମେ କର୍ନେଲ ବିପ୍ଳବ ତ୍ରିପାଠୀଙ୍କୁ ଗାଡ଼ି ଉଡ଼ାଇ ଦେବାପାଇଁ ଆଇଇଡି ବିସ୍ଫୋରଣ କରିଥିଲେ ଏବଂ ପରେ ସେମାନେ ଗୁଳି ଚାଳନା କରିଥିଲେ। ଫଳରେ କର୍ନେଲ୍ଙ୍କ ସମେତ ୫ ଯବାନ ସହିଦ ହୋଇଥିବା ବେଳେ କର୍ନେଲ୍ଙ୍କ ପତ୍ନୀ ଅନୁଜା ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମଣିପୁରର ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି ଉକ୍ତ ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ସହିଦ ଯବାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୋଦୀ କହିଛନ୍ତି, ଯବାନମାନଙ୍କର ବଳିଦାନକୁ କେବେ ବି ବ୍ୟର୍ଥ ହେବନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ରାଜନାଥ ସମବେଦନା ଜ୍ଞାପନ କରିଛନ୍ତି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରାଜନାଥ କହିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି, ଆତଙ୍କବାଦୀଙ୍କୁ ଧରିବାପାଇଁ କାଉଣ୍ଟର ଅପରେସନ ଆରମ୍ଭ ହୋଇସାରିଛି। ପୁଲିସ ସୂଚନାନୁଯାୟୀ ଶେହକେନ୍ ଗ୍ରାମ ନିକଟରେ ଆଜିର ଏହି ଘଟଣା ଘଟିଛି। ଉକ୍ତ ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। କମାଣ୍ଡିଙ୍ଗ ଅଫିସର୍ ବିପ୍ଳବ ତ୍ରିପାଠୀଙ୍କ ଘର ରାଞ୍ଚିରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/comanding-officer.jpg)