ଶ୍ରୀନଗର : ବିଏସଏଫ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ବିଏସଏଫ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଘଟଣାରେ ଦୁଇଜଣ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଶ୍ରୀନଗରର ନାଗବଲ ଅଞ୍ଚଳରେ ଥିବା ପଣ୍ଡାଜ୍ ଛକ ନିକଟରେ ଥିବା ବିଏସଏଫ ଚେକପୋଷ୍ଟ ନିକଟରେ ମୁତୟନ ଥିବା ବିଏସଏଫ ଯବାନମାନଙ୍କ ଉପରକୁ ଏକ ବାଇକରେ ଆସିଥିବା ଆତଙ୍କବାଦୀମାନେ ଗୁଳିଚଳାଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଆତଙ୍କବାଦୀମାନେ ଏହି ଘଟଣା ଘଟାଇବା ପରେ ଯବାନମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଅଧିକ ସୁରକ୍ଷା ବଳ ପହଞ୍ଚିଛନ୍ତି ଓ ତଲାସୀ ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ ସୁତ୍ରରୁ ଜଣାପଡିଛି ।

ଗତକାଲି ଶ୍ରୀନଗରର ନଓ୍ୱା କେଡଲ ଅଞ୍ଚଳରେ ସୁରକ୍ଷାବଳ ଗୁଳିରେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ଦୁଇ ଆତଙ୍କବାଦୀ ଜୁନେଦ ଅହମଦ ଖାଁ ଓ ତାରିକ ଅହମ୍ମଦ ସେଖ ନିହତ ହୋଇଥିଲେ । ଖାଁ କଶ୍ମୀରର ତେହରିକ-ଇ-ହୁରିୟାତ ସଂଗଠନର ନେତା ଅସ୍ରଫ ଖାଁ ସେହରାଇଙ୍କ ପୁଅ ବୋଲି ଜଣାପଡ଼ିଛି । ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅପରେସନ ମାଧ୍ୟମରେ ଦୁଇ ଆତଙ୍କବାଦୀଙ୍କୁ ମରାଯାଇଥିଲା ।

ସମ୍ବନ୍ଧିତ ଖବର