ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ସହିଦ, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆଜି ସେନା ଶିବିର ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ପରଘଲ୍‌ସ୍ଥିତ ସେନା ଶିବିର ବାଡ଼ ଅତିକ୍ରମ କରି ୨ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। କିନ୍ତୁ ସେମାନଙ୍କ ଉପରକୁ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିଲେ। ଫଳରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁ‌କେଶ ସିଂହ କହିଛନ୍ତି। ଅନ୍ୟ ୩ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସହିଦ ଯବାନମାନଙ୍କୁ ଚିହ୍ନଟ କରାଯାଇଛି। ସେମା‌ନେ ହେଉଛନ୍ତି ସୁବେଦାର ରାଜେନ୍ଦ୍ର ପ୍ରସାଦ (ରାଜସ୍ଥାନ ଝୁନଝୁନ ଜିଲ୍ଲା ବାସିନ୍ଦା), ରାଇଫଲମ୍ୟାନ ମନୋଜ କୁମାର (ହରିୟାଣା ଫରିଦାବାଦର ଶାହଜାନପୁର ଗ୍ରାମର ବାସିନ୍ଦା) ଏବଂ ରାଇଫଲମ୍ୟାନ ଲକ୍ଷ୍ମଣନ ଡି (ତାମିଲନାଡ଼ୁ ମଦୁରାଇ ଜିଲ୍ଲାର ପୁଡ଼ୁପତ୍ତି ଗ୍ରାମ ବାସିନ୍ଦା)।

ରାଜୌରୀରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଆଗୁଆ ଗୁଇନ୍ଦା ସୂଚନା ପାଇ ସୁରକ୍ଷାକର୍ମୀମାନେ ବୁଧବାରଠାରୁ ଦରହଲ ଏବଂ ନୌସେନାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଗୁରୁବାର ବଡ଼ି ଭୋର ସମୟରେ ୨ ଆତଙ୍କବାଦୀ ରାଜୌରିର ଦରହଲ ଅଞ୍ଚଳ ସ୍ଥିତ ପରଘଲ୍‌ରେ ଥିବା ସେନା କମ୍ପାନି ପରିଚାଳନା ଘାଟି (ଆର୍ମି କମ୍ପାନି ଅପରେଟିଂ ବେସ୍‌ )କୁ ଅନୁପ୍ରବେଶ ଉଦ୍ୟମ କରିବାବେଳେ ସେମାନଙ୍କ ଉପରକୁ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିଲେ। ଆତଙ୍କବାଦୀ ମଧ୍ୟ ପାଲଟା ଗୁଳି ଚାଳନା ଓ ଗ୍ରେନେଡ ନିକ୍ଷେପ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ୨ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୬ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ ୩ ଜଣ ସହିଦ ହୋଇଛନ୍ତି। ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି, ୨ ଫିଦାୟିନ ଜେଇଏମ୍‌ (ଜୈଶ ଏ ମହମ୍ମଦ) କିମ୍ବା ଏଲଇଟି (ଲସ୍କର ଏ ତୋଏବା)ର ତାହା ଜଣାପଡ଼ିନି।

ସମ୍ବନ୍ଧିତ ଖବର