ଶ୍ରୀନଗର: ଉତ୍ତର କଶ୍ମୀରର ବାରାମୁଲ୍ଲା ଜିଲ୍ଲା ଉରି ସେକ୍ଟର ଅନ୍ତର୍ଗତ ଗୁଲମାର୍ଗରେ ଗୁରୁବାର ଆତଙ୍କବାଦୀମାନେ ସେନାର ଏକ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଶ୍ରମିକ ନିହତ ହେବା ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। 

Advertisment

ସୂଚନା ଅନୁସାରେ ସେନା ଗାଡ଼ିଟି ଗୁଲମାର୍ଗର ବୋଟାପଥର ଅଂଚଳ ଦେଇ ଗତି କରୁଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏଥିରେ ଜଣେ ଶ୍ରମିକ ନିହତ ହୋଇଥିବାବେଳେ ସେନାର ୪ ଜଣ ଯବାନ ଆହତ ହୋଇଛନ୍ତି । 

ଆଜି ଦିନରେ ଏହା ହେଉଛି ୨ୟ ଆତଙ୍କବାଦୀ ଆକ୍ରମଣ ଘଟଣା । ଆଜି ପୂର୍ବାହ୍ଣରେ ପୁଲଓ୍ବାମା ଜିଲ୍ଲା ତ୍ରାଲ ଇଲାକାରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ଗୁଳି କରି ଆହତ କରିଦେଇଥିଲେ । ଆହତ ଶ୍ରମିକ ହେଉଛନ୍ତି ଉତ୍ତରପ୍ରଦେଶର ବିଜନୌର ନିବାସୀ ପ୍ରୀତମ ସିଂ । 

ଜମ୍ମୁ ଓ କଶ୍ମୀରରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଗତ ରବିବାର ଗନ୍ଦରବଲ ଜିଲ୍ଲାର ଗଗନଗିର୍ ଅଂଚଳରେ ନିର୍ମାଣାଧିନ ଏକ ଟନେଲ ନିକଟରେ ଥିବା ଶ୍ରମିକ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହେବାରୁ ଜଣେ ଡାକ୍ତର ଓ ୬ ଶ୍ରମିକ ମୃତ୍ୟୁବରଣ କରିଥିଲେ । ଏହି ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ  ଫୋର୍ସ ନିଜକୁ ଦାୟୀ କରିଥିଲା ।