କରାଚି ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ, ୨୦ ପୁଲିସ କର୍ମୀ ନିହତ

କରାଚି:  ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ସଂଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୮ରୁ ୧୦ ବୋଲି କୁହାଯାଉଛି । ଏହି ଘଟଣାରେ ୨୦ ଜଣ ପୁଲିସ କର୍ମୀ ନିହତ ହୋଇଥିବା ଜଣାଯାଇଛି । ଏହି ଆକ୍ରମଣ ପାଇଁ ତେହରିକ ଏ ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି ।

ପାକିସ୍ତାନୀ ଗଣମାଧ୍ୟମ ଡନ୍ ଅନୁଯାୟୀ, ପୁଲିସ ମୁଖ୍ୟାଳୟରେ ୧୦ରୁ ଅଧିକ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି । ଏହା ସହ ଆତଙ୍କବାଦୀମାନେ ଏକ ବହୁମହଲା କୋଠା ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି । ତେବେ ସୁରକ୍ଷା ବାହିନୀ ଓ ପୁଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି ।

କରାଚି ପୁଲିସ ମୁଖ୍ୟାଳୟ ନିକଟରେ ଥିବା ସଦର ପୁଲିସ ଥାନା ଉପରେ ବି ଆତଙ୍କବାଦୀମାନେ ଗୁଳିଚାଳନା କରିଛନ୍ତି ।

ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଖବର ପାଇବା ପରେ ପୁଲିସ ଓ ରେଞ୍ଜର୍ସ ପକ୍ଷରୁ ମିଳିତ ଭାବେ ଅପରେସନ ଆରମ୍ଭ ହୋଇଛି । ସୁରକ୍ଷାବଳ ପୁଲିସ ମୁଖ୍ୟାଳୟକୁ ଘେରିଯାଇଛନ୍ତି ଓ ଗୁଳିବିନିମୟ ଜାରି ରହିଛି ।

ସିନ୍ଧ ରାଜ୍ୟର ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିବା ସହ ଘଟଣା ସ୍ଥ​ଳକୁ ଅଧିକସଂଖ୍ୟକ ଫୋର୍ସ ପଠାଇବାକୁ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦୋଷୀମାନଙ୍କୁ ଗିରଫ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର