ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୨୭ ସୈନ୍ୟ ମୃତ, ୨୧ ଗୁରୁତର

ବମାକୋ: ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ। ପଶ୍ଚିମ ଆଫ୍ରିିକାରେ ଥିବା ମାଲି ଦେଶରେ ଗତକାଲି ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଅତି କମରେ ୨୭ ସୈନିକ ମୃତ୍ୟୁବରଣ କରିଛନ୍ତି ଓ ୨୧ ଜଣ ଗୁରୁତର ହୋଇଛନ୍ତି। ଏହା ସହ ୭ ଜଣ ନିଖୋଜ ଥିବା କୁହାଯାଉଛି। ଏହି ଆକ୍ରମଣ ମଣ୍ଡୋରା ସୈନ୍ୟ ଶିବିର ଉପରେ କରାଯାଇଛି ଯାହା ବୁର୍କିନା ଫାସୋ ଓ ମାଲି ସୀମାରେ ଅବସ୍ଥିତ। ଆତଙ୍କବାଦୀମାନେ ସେନା ଶିବିରକୁ ଧ୍ଵଂସ କରିବା ପାଇଁ କାର୍ ବୋମାକୁ ବ୍ୟବହାର କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଟ୍ୟାଙ୍କ ସହିତ ୨୧ଟି ବାହନ ଜବତ କରିନେଇଛନ୍ତି। ଆକ୍ରମଣ ସମୟରେ ପ୍ରାୟ ୧୫୦ ଜଣ ସୈନିକ ଥିଲେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇ ମାଲିର ସେନା ୭୦ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ଯେ କେଉଁ ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ଦାୟୀ। ତେବେ ଅଲ୍-କଏଦା ଓ ଇସ୍ଲାମିକ୍ ଷ୍ଟେଟ୍ ନାମରେ ଦୁଇଟି ଆତଙ୍କବାଦୀ ସଙ୍ଗଠନ କେନ୍ଦ୍ରୀୟ ମାଲିରେ ସକ୍ରିୟ ଅଛନ୍ତି।
୨୦୧୨ରେ ଅଲକଏଦା ସହ ଜଡିତ ଆତଙ୍କବାଦୀମାନେ ଉତ୍ତର ମରୁଭୂମି ଉପରେ କବଜା କରି ନେଇଥିଲେ। ସେହି ସମୟରେ ଫ୍ରାନ୍ସ ମାଲିକୁ ସହଯୋଗ କରି ସଂପୂର୍ଣ୍ଣ ଅଞ୍ଚଳକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିଥିଲା। ଏହାପରେ ଫ୍ରାନ୍ସ ସେଠାରେ ନିଜ ସେନାକୁ ମୁତୟନ କରିଥିଲା। ସେବେଠାରୁ ଆତଙ୍କବାଦୀମାନେ ସେନା ଉପରକୁ କ୍ରମାଗତ ଆକ୍ରମଣ କରି ଆସୁଛନ୍ତି।

ଫ୍ରାନ୍ସ ୨୦୧୩ରୁ ମାଲିରେ ହଜାର ହଜାର ସୈନିକଙ୍କୁ ମୁତୟନ କରିଥିବା ବେଳେ ମାଲି ସରକାରଙ୍କ ସହ ସଂପର୍କ ଖରାପ ହେବାରୁ ଫ୍ରାନ୍ସ ଗତ ମାସରେ ନିଜ ସୈନିକଙ୍କୁ ଫେରାଇ ନେଇଥିଲା। ଫ୍ରାନ୍ସର ସେନା ମାଲିରୁ ପଳାଇବାରୁ ମାଲି ଉପରେ ଆତଙ୍କବାଦୀ ଆକ୍ରମଣ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର