ନ୍ୟୁୟର୍କରେ ଆତଙ୍କ:ଲୋକଙ୍କ ଉପରେ ଟ୍ରକ୍‌ ଚଢ଼ାଇଲା ଆତଙ୍କବାଦୀ

ନ୍ୟୁୟର୍କ:୯/୧୧ ଆକ୍ରମଣ ପରେ ଆଜି ଆଉ ଏକ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ଆମେରିକାର ନ୍ୟୁୟର୍କ ସହର। ଲୋୟର ମ୍ୟାନ୍‌ହଟନରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଟାଓ୍ଵାର ନିକଟ୍‌ ସାଇକେଲ ଲେନ୍‌ରେ ଯାଉଥିବା ଲୋକଙ୍କ ଉପରେ ଜଣେ ଆତଙ୍କବାଦୀ ଟ୍ରକ୍‌ ଚଢ଼ାଇ ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ଏକ ଆତଙ୍କବାଦୀ କାଣ୍ଡ ବୋଲି ନ୍ୟୁୟର୍କ ପୁଲିସ ଏବଂ ପ୍ରଶାସନ ସ୍ପଷ୍ଟ କରିଛି। ଆକ୍ରମଣ ସମୟରେ ଡ୍ରାଇଭର ଆଲ୍ଲା ହୁ ଆକବର ଧ୍ୱନି ଦେଉଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀର ପେଟରେ ଗୁଳି ଲାଗିବା ପରେ ତାଙ୍କୁ ଜୀବିତ ଧରିବା ସମ୍ଭବ ହୋଇଛି। ଆକ୍ରମଣକାରୀ ଟ୍ରକ୍‌ ଛାଡ଼ି ବନ୍ଧୁକରୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ତାକୁ ଗୁଳି କରାଯାଇଥିଲା। ନ୍ୟୁୟର୍କ ସିଟି ମେୟର ବିଲ୍‌ ଡେ ବ୍ଲାସିଓ କହିଛନ୍ତି ଯେ ଏଭଳି ଆକ୍ରମଣ ଆତଙ୍କବାଦୀଙ୍କ ଏକ କାପୁରୁଷୋଚିତ କାର୍ଯ୍ୟ ଏବଂ କୌଣସି ସଭ୍ୟ ସମାଜ ଏଭଳି କାର୍ଯ୍ୟକୁ ବରଦାସ୍ତ କରିପାରିବ ନାହିଁ।

ମୃତ ୮ ଜଣଙ୍କ ମଧ୍ୟରେ ଆର୍ଜେଣ୍ଟିନାର ୫ ଜଣ ନାଗରିକ ଅଛନ୍ତି । ଆର୍ଜେଣ୍ଟିନା ବିଦେଶ ମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ ଏବଂ ସେମାନେ ସମସ୍ତେ ଉତ୍ସବ ମନାଇବାକୁ ନ୍ୟୁୟର୍କ ଯାଇଥିଲେ। ସେମାନଙ୍କର ଆଉ ଜଣେ ବନ୍ଧୁ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବେଲଜିୟମର ଜଣେ ମହିଳା ଥିବାବେଳେ ଆଉ ୨ ଜଣଙ୍କର ପରିଚୟ ମିଳିନାହିଁ। ଲୋକଙ୍କ ଉପରେ ଟ୍ରକ୍‌ ଚଢ଼ାଇବା ପରେ ଆତଙ୍କବାଦୀ ଏକ ସ୍କୁଲ ବସ୍‌କୁ ଧକ୍କା ଦେଇଥିଲା ଏବଂ ଏଥିରେ ୨ ଜଣ ଛାତ୍ର ମଧ୍ୟ ଆହତ ହୋଇଛନ୍ତି। ଏହି ବର୍ବର କାଣ୍ଡ ଘଟାଇଥିବା ଆତଙ୍କବାଦୀର ନାମ ସୈଫୁଲ୍ଲେ ସାଇପୋଭ୍‌ (୨୯) ଏବଂ ସେ ଉଜ୍‌ବେକିସ୍ତାନ ନାଗରିକ ବୋଲି ଜଣାପଡ଼ିଛି। ସାଇପୋଭ ୨୦୧୦ରେ ଆମେରିକାରେ ପ୍ରବେଶ କରିଥିଲା ଏବଂ କ୍ୟାବ୍‌ ଡ୍ରାଇଭର ଭାବେ ନିୟୋଜିତ ଥିଲା। ପୁଲିସ ଗୁଳିରେ ଆହତ ହୋଇଥିବା ସୈଫୁଲ୍ଲେର ଏବେ ଚିକିତ୍ସା ଚାଲିଛି। ନ୍ୟୁୟର୍କରେ ଅଧିକ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଅତ୍ୟନ୍ତ ରୁଗ୍‌୍‌ଣ ଓ ବିଭତ୍ସ ମାନସିକତାର ଲୋକେ ଆଉ ଏକ ଆକ୍ରମଣ ଘଟାଇଛନ୍ତି। ଆମେରିକାରେ ଇସ୍‌୍‌ଲାମିକ ଷ୍ଟେଟ୍‌କୁ ପ୍ରବେଶ କରିବା ପାଇଁ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ନ୍ୟୁୟର୍କରେ ୨୦୦୧ ସେପ୍‌ଟେମ୍ବର ୧୧ରେ ଅଲ୍‌ କାଏଦାର ପ୍ରଚଣ୍ଡ ହମ୍‌୍‌ଲାରେ ବିଶ୍ୱ ବାଣିଜ୍ୟ ସଂଗଠନର ଟ୍ଵିନ୍‌ ଟାଓ୍ଵାର ଧୂଳିସାତ ହେବା ସହ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର