ପାକ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଆତଙ୍କବାଦୀ ଆକ୍ରମଣ, ୪ ଆତଙ୍କୀଙ୍କ ସହ ୧୦ ମୃତ

କରାଚି: କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍‌(ପିଏସ୍‌ଏକ୍ସ)ରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ସୁରକ୍ଷା କର୍ମୀ, ଜଣେ ପୁଲିସ ଓ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କର ମୃତ୍ୟୁ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଜଣ ଯାକ ଆତଙ୍କବାଦୀ ନିପାତ ହୋଇଥିବା ଖବର ମିଳିଛି। ଏଥି ସହିତ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ୩ ଜଣ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ତେବେ ଏଥିପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ପୁଲିସ ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଭଳି ଅତ୍ୟାଧୁନିକ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ସୂଚନାନୁଯାୟୀ, ଆଜି ସକାଳେ ଏକ ରୁପେଲି ରଙ୍ଗର କରୋଲା କାର୍‌ରେ ଆସିଥିବା ଏହି ସଶସ୍ତ୍ର ଆତଙ୍କବାଦୀମାନେ କରାଚିର ଅତ୍ୟନ୍ତ ସୁରକ୍ଷାବହୁଳ ଅଞ୍ଚଳରେ ଥିବା ପିଏସ୍‌ଏକ୍ସ ଭବନରେ ପଶି ବନ୍ଧୁକ ଓ ଗ୍ରେନେଡ୍‌ରେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଇଥିଲେ। ତେବେ ସେମାନଙ୍କର ପିଏସ୍‌ଏକ୍ସ ଭିତରେ କାହାକୁ ମୁଣ୍ଡ ଜାମିନ ରଖିବା ଯୋଜନାକୁ ଉପସ୍ଥିତ ସୁରକ୍ଷା କର୍ମୀମାନେ ପଣ୍ଡ କରିଦେଇଥିଲେ। ସେମାନଙ୍କ ସହ ମୁହାଁମୁହିଁ ହେବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ଅପରପକ୍ଷେ, ଅନେକ ଘରୋଇ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି କୋଠାରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ ବୋଲି ଜବତ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକରୁ ଅନୁମାନ କରାଯାଉଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର