ଶ୍ରୀନଗର : କଶ୍ମୀର ଘାଟିରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିଚାଲିଛି । ଆଜି ଶ୍ରୀନଗର ଉପକଣ୍ଠରେ ଥିବା ଜେଓ୍ବାନ ଅଞ୍ଚଳରେ ଥିବା ପାନ୍ଥା ଛକ ନିକଟରେ ଏକ ପୁଲିସ ବସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨ ଜଣ ପୁଲିସ କର୍ମୀ ସହିଦ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।
ଆକ୍ରମଣପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ଓ ଆତଙ୍କବାଦୀମାନଙ୍କୁ ଧରିବାକୁ ସେନା ଓ ପୁଲିସର ମିଳିତ ଅପରେସନ ଆରମ୍ଭ ହୋଇଛି ।
ଦୁର୍ଭାଗ୍ୟର କଥା ହେଉଛି ପୁଲିସ ବସଟି ବୁଲେଟ ପ୍ରୁଫ ନଥିଲା ଓ ପୁଲିସମାନଙ୍କ ପାଖରେ ରାଇଫଲ ବଦଳରେ ଥିଲା ଲାଠି ଓ ସିଲଡ୍ । ସେମାନେ ଡ୍ୟୁଟି ସାରି ବାରାକକୁ ଫେରୁଥିଲେ । ସାଧାରଣତଃ ଏପରି ବସ ସହିତ ଏକ ସଶସ୍ତ୍ର ପୁଲିସ ଗାଡ଼ି ଯାଇଥାଏ । କିନ୍ତୁ ଆଜି ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗତ ଶୁକ୍ରବାର ଜମ୍ମୁ ଓ କଶ୍ମୀରର ବାନ୍ଦିପୁରାଠାରେ ଥିବା ଗୁଲସନ ଛକ ନିକଟରେ ଆତଙ୍କବାଦୀମାନେ ପୁଲିସ ଗାଡ଼ି ଉପରକୁ ଗୁଳି ଚଳାଇବାରୁ ୨ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ସହିଦ ହୋଇଥିବା ପୁଲିସ କର୍ମଚାରୀ ହେଲେ ମହମ୍ମଦ ସୁଲତାନ ଓ ଫୟାଜ ଅହମ୍ମଦ ।