ବିମାନଘାଟିରେ ଆତଙ୍କବାଦୀ ହମ୍‌ଲା: ସର୍ଚ୍ଚ ଅପରେସନ ବେଳେ ଯବାନ୍‌-ଜନତା ମୁହାଁମୁହିଁ

ଶ୍ରୀନଗର:  ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲା ମଙ୍ଗଳପୋରା ସେକ୍ଟରର ଅବନ୍ତିପୋରା ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ପ୍ରତିରକ୍ଷା ସୁରକ୍ଷା ସେନା(ଡିଏସ୍‌ସି)ର ଏକ ଗାଡ଼ିି ଉପରକୁ ଗ୍ରେନେଡ୍‌ ମାଡ଼ କରିବା ପରେ ଆଖିବୁଜା ଗୁଳିବର୍ଷା କରିଥିଲେ। ତେବେ ଜମ୍ମୁ-କଶ୍ମୀର ପୁଲିସ୍‌, ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆର୍‌ପିଏଫ୍‌ ଯବାନ ଘଟଣାସ୍ଥଳରେ ପହଞ୍ଚି ପ୍ରତିଆକ୍ରମଣ କରିବାରୁ ଅନ୍ଧାରର ସୁଯୋଗରେ ଆତଙ୍କବାଦୀମାନେ ଫେରାର୍‌ ହୋଇଯାଇଥିଲେ। ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ବିମାନଘାଟିର ପମ୍ପ ହାଉସ ପୋଡ଼ି ଯାଇଥିବା ବେଳେ ଜଣେ ସିଆର୍‌ପିଏଫ୍‌ ଯବାନ୍‌ ଗୁରୁତର ଆହତ ହୋଇଛନ୍ତି। ଅପରପକ୍ଷେ, ଆକ୍ରମଣକାରୀ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ନରଓ୍ଵାଲ ନେଓ୍ଵା ଗ୍ରାମରେ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ମାତ୍ର କିଛି ସ୍ଥାନୀୟ ଲୋକ ପୁଲିସ୍‌ ଓ ଯବାନଙ୍କୁ ଦେଖି ପଥର ମାଡ଼ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଯବାନ୍‌ମାନେ ଫାଙ୍କା ଗୁଳି ଚଳନା କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲେ।
ସେପଟେ ନିୟନ୍ତ୍ରଣ ରେଖା ନିକଟରେ ପୂର୍ବ ଭଳି ଅଶାନ୍ତ ପରିସ୍ଥିତି ଜାରି ରହିଛି। ଆଜି ପୁଣି ଥରେ ତଙ୍ଗ୍‌ଧାର ଫରଓ୍ଵାର୍ଡ ଡିଫେଣ୍ଡେଡ୍‌ ଲୋକେସନ୍‌ (ଏଫ୍‌ଡିଏଲ୍‌)ରେ ପାକିସ୍ତାନୀ ସ୍ନାଇପରମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ବିଏସ୍‌ଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଶ୍ରୀନଗର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସେନା ପକ୍ଷରୁ କୁହଯାଇଛି।

ସମ୍ବନ୍ଧିତ ଖବର