ଲାହୋର: ପାକିସ୍ତାନରେ ପୁଲିସକୁ ବଡ଼ ସଫଳତା ମିଳିଛି। ପଞ୍ଜାବର ଆତଙ୍କବାଦ ନିରୋଧୀ ବିଭାଗ ଅଲ୍ କାଏଦାର ପ୍ରମୁଖ ସଦସ୍ୟ ଅମିନ-ଉଲ୍-ହକକୁ ଶୁକ୍ରବାର ଗିରଫ କରିଛି। ହକ୍ ନିହତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ଘନିଷ୍ଠ ସହଯୋଗୀ ଥିଲା ବୋଲି କୁହାଯାଉଛି। ପଞ୍ଜାବ ପୁଲିସର ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)ର ଜଣେ ମୁଖପାତ୍ର କହିଛନ୍ତି ଯେ ପଞ୍ଜାବ ପ୍ରଦେଶରେ ବିଭିନ୍ନ ଗୁଇନ୍ଦା ଏଜେନ୍ସି ସହଯୋଗରେ ଏକ ଯୋଜନାବଦ୍ଧ ଅପରେସନ୍ କରି ଅମିନ-ଉଲ୍-ହକକୁ ଗିରଫ କରାଯାଇଛି ।
ଜଣେ ପୁଲିସ ମୁଖପାତ୍ର ଏକ ବିବୃତିରେ କହିଛନ୍ତି ଯେ ହକ୍ ୧୯୯୬ ମସିହାରୁ ଓସାମା ବିନ୍ ଲାଡେନର ଘନିଷ୍ଠ ସହଯୋଗୀ ଥିଲା ଏବଂ ସମଗ୍ର ପ୍ରଦେଶରେ ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପ ଯୋଜନା କରିଥିଲା। ପୁଲିସ କହିବା ଅନୁଯାୟୀ, ହକ୍ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲା। ପୁଲିସ ମୁଖପାତ୍ର କହିଛନ୍ତି ଯେ ସିଟିଡି ଠିକଣା ସମୟରେ ପଦକ୍ଷେପ ନେଇ ଅମିନୁଲ ହକକୁ ଠାବ କରିଥିଲା ଏବଂ ଗିରଫ କରିବାରେ ସଫଳ ହୋଇଥିଲା ।
ଗିରଫ କରାଯିବା ପରେ ହକକୁ ଏକ ଅଜଣା ସ୍ଥାନକୁ ନିଆଯାଇ ଜେରା କରାଯାଉଛି । ଏହି ଗିରଫଦାରୀ ପାକିସ୍ତାନ ଏବଂ ଏହାର ବିଶ୍ୱବ୍ୟାପୀ ଆତଙ୍କବାଦ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ ଯେ ଜାତିସଂଘର ଆନ୍ତର୍ଜାତିକ ଆତଙ୍କବାଦୀ ତାଲିକାରେ ହକର ନାମ ସାମିଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-19-at-16.24.34.jpeg)