ପିଓକେରେ ଆତଙ୍କବାଦୀ ଶିବିର ପୁଣି ସକ୍ରିୟ: ୨୦୦ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପଶିବାକୁ ପ୍ରସ୍ତୁତ

ସୀମାରେ ସୁରକ୍ଷା କଡ଼ାକଡ଼ି

ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ପ୍ରାୟ ୨୦୦ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ଅପେକ୍ଷାରେ ରହିଛନ୍ତି। ଭାରତ-ପାକ୍‌ ସୀମାରେ ଏହି ଆତଙ୍କବାଦୀମାନେ ପାକ୍‌ ସେନା ଦ୍ବାରା ସ୍ଥାପିତ ୨ଟି ଶିବିରରେ ରହିଥିବା ଜଣାପଡ଼ିଛି । ଦକ୍ଷିଣ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ‌ଦ୍ବିବେଦୀ ମଧ୍ୟ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାକ୍‌ ଅଧିକୃତ କାଶ୍ମୀରରେ ଭାରତୀୟ ସୀମାର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଆତଙ୍କବାଦୀମାନେ ରହିଛନ୍ତି ଏବଂ ସେମାନଙ୍କୁ ପାକ୍‌ ସେନା ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ବିଭିନ୍ନ ରାସ୍ତା ଦେଇ ଏହି ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ପାକ୍‌ ସେନା ନାନା ପ୍ରୟାସ କରୁଛି।

ତେବେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପାକିସ୍ତାନର ଉଦ୍ୟମ ଲଗାତାର ପଣ୍ଡ ହେଉଛି। ଚଳିତବର୍ଷ ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ୨୧ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ତେବେ ଗତ ୧୨ ମାସ ମଧ୍ୟରେ ଖୁବ୍‌ କମ୍‌ ଅସ୍ତ୍ରବିରତି ଉଲ୍ଳଂଘନ ହୋଇଛି। ଆର୍ମି କମାଣ୍ଡର କହିଛନ୍ତି, ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ପ୍ରାୟ ୪୦ରୁ ୫୦ ଆତଙ୍କବାଦୀ ସକ୍ରିୟ ‌ରହିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ବହୁତ ବଡ଼ ପରିବର୍ତ୍ତନ ଆସିଛି। ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ ହେବ ବୋଲି କହିଛନ୍ତି। ୨୦୧୯ ତୁଳନାରେ ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦ୍ବିଗୁଣା ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର