ଜମ୍ମୁ ଓ କଶ୍ମୀର ବଡ଼ଗାମ୍‌ରେ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଠାବ, ଲଶ୍କର୍ କର୍ମୀ ଗିରଫ, ଗୋଳାବାରୁଦ ଜବତ

ଶ୍ରୀନଗର: ଶନିବାର ଦିନ ନିରାପତ୍ତା ବଳ ଜମ୍ମୁ ଓ କଶ୍ମୀରର ବଡ଼ଗାମ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କର ଏକ ଗୁପ୍ତ ଆଡ୍ଡା ଠାବ କରିବା ସହ ଲଶ୍କର୍-ଏ-ତୈବାର ଜଣେ ସହାୟକ କର୍ମୀଙ୍କୁ ଗିରଫ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବଡ଼ଗାମ୍ ଜିଲ୍ଲାର ବଧାନେ ଅନ୍ତର୍ଗତ ଏରିଜାଲ୍ ଖାଁସାଇବ୍ ଠାରେ ଆତଙ୍କବାଦୀଙ୍କର ସେ ଗୁପ୍ତ ଆଡ୍ଡାଟିକୁ ଠାବ କରାଯାଇଛି। ଏହାଛଡ଼ା ଜହୁର୍ ୱାନି ନାମକ ଲଶ୍କର୍-ଏ-ତୈବାର ଜଣେ ଓଭର୍-ଗ୍ରାଉଣ୍ଡ୍ ୱାର୍କର୍ ବା ସହାୟକ କର୍ମୀଙ୍କୁ ଗିରଫ କରାଯାଇଛି।

ତା’ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ୱାନି ଦେଇଥିବା ସୂଚନା ଆଧାରରେ ନିରାପତ୍ତା ବଳ ପରେ ଆହୁରି କେତେକଙ୍କୁ ଗିରଫ କରି ସେମାନଙ୍କ ପାଖରୁ ବହୁ ସାମଗ୍ରୀ ଉଦ୍ଧାର କରିବ।

ୱାନି ହେଉଛି ଲଶ୍କର-ଏ-ତୈବା ଆତଙ୍କବାଦୀ ୟୁସୁଫ୍ କ୍ବାନ୍‌ତ୍ରୂର ଘନିଷ୍ଠ ସହଯୋଗୀ। ୱାନିର ଘର ଠାରୁ ୨୦୦ ରୁ ୩୦୦ ମିଟର୍ ଦୂରରେ ଥିବା ତା’ ବିଲରେ ଏହି ଗୁପ୍ତ ଆଡ୍ଡାଟି କରାଯାଇଥିଲା।

ୟୁସୁଫ୍ କ୍ବାନ୍‌ତ୍ରୂ ନେତୃତ୍ବାଧୀନ ଆତଙ୍କବାଦୀମାନଙ୍କୁ ୱାନି ଯାନବାହନ, ଗୁପ୍ତସ୍ଥାନ ଓ ପରିବହନ ଆଦି ଯୋଗାଇ ଦେଉଥିଲା। ଏହି ଆତଙ୍କବାଦୀମାନେ ମୁଖ୍ୟତଃ ବଡ଼ଗାମ ଓ ବାରମୂଳା ଅଞ୍ଚଳରେ ଉପଦ୍ରବ କରନ୍ତି।

ସମ୍ବନ୍ଧିତ ଖବର