ଜାତିସଂଘରେ ସୁଷମାଙ୍କ ଉଦ୍‌ବୋଧନ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ

ନ୍ୟୁୟର୍କ: ବିଦେଶ ମନ୍ତ୍ରୀ ସୁ‌ଷମା ସ୍ବରାଜ ଆଜି ଜାତିସଂଘ ସାଧାରଣ ଅଧିବେଶନରେ ଉଦ୍‌ବୋଧନ ଦେଇ ପାକିସ୍ତାନ ବିରୋଧରେ ପ୍ରଚଣ୍ଡ ହମ୍‌୍ଲା କରିଛନ୍ତି। ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ସୁଷମା କହିଛନ୍ତି ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ସ୍ବର୍ଗ ପାଲଟିଛି ଏବଂ ପାକ୍‌ ସରକାର ଆତଙ୍କବାଦୀଙ୍କ ମହିମାମଣ୍ଡନ କରିଚାଲିଛନ୍ତି। ଭାରତ ନିଜ ପଡ଼ୋଶୀ ପାକିସ୍ତାନ ଦ୍ବାରା ଆତଙ୍କବାଦରେ ପୀଡ଼ିତ ଏବଂ ଜମ୍ମୁ କଶ୍ମୀରରେ ପ୍ରତିଦିନ ନିରୀହଙ୍କୁ ହତ୍ୟା କରାଯାଉଛି। ପାକିସ୍ତାନ ଆତଙ୍କବାଦୀ କାଣ୍ଡ ଘଟାଇବାରେ ଯେତିକି ପାରଙ୍ଗମ, ଆତଙ୍କବାଦୀ କାର୍ଯ୍ୟକଳାପକୁ ଲୁଚାଇବାରେ ମଧ୍ୟ ସେତିକି ଧୂର୍ତ୍ତ ବୋଲି ସୁଷମା କହିଛନ୍ତି। ବିଶ୍ବର ସବୁଠାରୁ ଭୟାନକ ଆତଙ୍କବାଦୀ ତଥା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଓସାମା ବିନ୍‌ ଲାଦେନ ମଧ୍ୟ ପାକିସ୍ତାନରେ ହିଁ ଲୁଚି ଥିଲା ବୋଲି ସୁଷମା କହିଛନ୍ତି। ସେହିଭଳି ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ ଏବେ ପାକିସ୍ତାନରେ ଖୋଲାଖୋଲି ରୢାଲି ଆୟୋଜନ କରୁଛି ଏବଂ ଭାରତକୁ ଧମକ ଦେଇ ଚାଲିଛି। ପାକିସ୍ତାନ ହାଫିଜ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିିବର୍ତ୍ତେ ତାକୁ ସମସ୍ତ ସୁରକ୍ଷା ଯୋଗାଇ ଚାଲିଛି ବୋଲି ସୁଷମା କହିଛନ୍ତି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ଜାତିସଂଘ କଟକଣା ତାଲିକାରେ ସାମିଲ କରିଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି ଭ୍ରୂକ୍ଷେପ କରୁନାହିଁ। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାକୁ ଏକସୂତ୍ରୀ କାର୍ଯ୍ୟକ୍ରମ କରିଥିବା ପାକିସ୍ତାନ ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଏବଂ ଆଲୋଚନା ନ କରିବା ଅଭିଯୋଗ କରୁଛି । କଥାବାର୍ତ୍ତା ପାଇଁ ପାକିସ୍ତାନର ଆମନ୍ତ୍ରଣ ପଛରେ ଯେଉଁ ଚାଲ୍‌ ରହିଛି ତାହା ଭାରତ ଭଲଭାବେ ଜାଣିଛି ବୋଲି ସୁଷମା କହିଛନ୍ତି।

ଖୋଲାରେ ବୁଲୁଛି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ୍‌
ଦୋମୁହାଁ ନୀତିରେ ଚାଲିଛି ପାକ୍‌ ସରକାର
ସଂସ୍କାର ନହେଲେ ଜାତିସଂଘ ଗୁରୁତ୍ବ ହରାଇବ

ସମଗ୍ର ବିଶ୍ବକୁ ଭାରତ ଗୋଟିଏ ପରିବାର ଦୃଷ୍ଟିରେ ଦେଖୁଛି ଏବଂ ସର୍ବତ୍ର ଶାନ୍ତି ଚାହୁଛି। ଜାତିସଂଘ ମଧ୍ୟ ଏହି ନୀତିରେ ଚାଲିବା ଆବଶ୍ୟକ ବୋଲି ସୁଷମା କହିଛନ୍ତି। ପାକିସ୍ତାନର ନୂଆ ସରକାର ଗୋଟିଏ ପଟେ କଥାବାର୍ତ୍ତା ପାଇଁ ନିମନ୍ତ୍ରଣ କରୁଥିବା ବେଳେ ଅନ୍ୟପଟେ କଶ୍ମୀରରେ ସଂହାରଲୀଳା ଜାରି ରଖିଛି ବୋଲି ସୁଷମା କହିଛନ୍ତି। ପାକିସ୍ତାନ ତା’ର ବ୍ୟବହାରରେ ପରିବର୍ତ୍ତନ ଆଣୁନଥିବାରୁ ଭାରତ କଥାବାର୍ତ୍ତା ବନ୍ଦ କରିଛି ବୋଲି ସୁଷମା କହିଛନ୍ତି। ଭାରତରେ ବିଭିନ୍ନ ଦଳର ସରକାର କେନ୍ଦ୍ରରେ କ୍ଷମତାକୁ ଆସିଛନ୍ତି। ସମସ୍ତ ସରକାର କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ପାଇଁ ପ୍ରୟାସ କରିଛନ୍ତି। କିନ୍ତୁ ପାକିସ୍ତାନ ସବୁ ସୁଯୋଗକୁ ଭଣ୍ଡୁର କରିଦେଇଛି। ନିକଟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ନ୍ୟୁୟର୍କରେ ବିଦେଶ ମନ୍ତ୍ରୀସ୍ତରରେ କଥାବାର୍ତ୍ତା ପାଇଁ ଦେଇଥିବା ପ୍ରସ୍ତାବ ମଧ୍ୟ ଭାରତ ଗ୍ରହଣ କରିଥିଲା। କିନ୍ତୁ ପ୍ରସ୍ତାବ ଗ୍ରହଣର ମାତ୍ର କିଛି ଘଣ୍ଟା ମଧ୍ୟରେ ଜମ୍ମୁ କଶ୍ମୀରରୁ ୩ ଜଣ ପୁଲିସ କର୍ମୀଙ୍କୁ ଅପହରଣ କରି ହତ୍ୟା କରାଗଲା। ଏଭଳି ଆଚରଣ କରୁଥିବା ପାକିସ୍ତାନର କଥାବାର୍ତ୍ତା ପ୍ରସ୍ତାବକୁ କିଭଳି ସ୍ବୀକାର କରିହେବ ବୋଲି ସୁଷମା କହିଛନ୍ତି। ଭାରତ ସରକାରଙ୍କ ବିକାଶ ଯୋଜନାଗୁଡ଼ିକ ସଂପର୍କରେ ଆଲୋକପାତ କରି ସୁଷମା କହିଛନ୍ତି ଯେ ସମସ୍ତଙ୍କର ବିକାଶ ଲକ୍ଷ୍ୟରେ ସରକାର କାମ କରୁଛନ୍ତି। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଜନଧନ ଯୋଜନା ଏବଂ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆବାସ ଯୋଜନାରେ ଗରିବଙ୍କ ପାଇଁ ୫୦ ଲକ୍ଷ ଗୃହ ନିର୍ମାଣ କରାଯାଇଛି। ମୁଦ୍ରା ଯୋଜନା ଏବଂ ଉଜ୍ଜ୍ବଳା ଯୋଜନା ମଧ୍ୟ ବେଶ୍‌ ସଫଳ ହୋଇଛି। ଉଜ୍ଜ୍ବଳା ଯୋଜନାରେ ୫୦ ନିୟୁତ ମାଗଣା ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯାଇଥିବା ସୁଷମା କହିଛନ୍ତି। ଜାତିସଂଘରେ ସଂସ୍କାର ପ୍ରସ୍ତାବ ଉପରେ ଗୁରୁତ୍ବାରୋପ କରି ସୁଷମା କହିଛନ୍ତି ଯେ ମୌଳିକ ସଂସ୍କାର ପ୍ରତି ଧ୍ୟାନ ନଦେଲେ ଜାତିସଂଘ ତାହାର ଗୁରୁତ୍ବ ହରାଇବ। ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ଆଣିବା ସପକ୍ଷରେ ଭାରତ ସର୍ବଦା ଗୁରୁତ୍ବାରୋପ କରିଆସିଛି ବୋଲି ସୁଷମା କହିଛନ୍ତି।

ସମ୍ବନ୍ଧିତ ଖବର