ଯବାନଙ୍କୁ ଘରେ ପଶି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର : ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଆଜି ବର୍ବର କାଣ୍ଡ ଘଟାଇଛନ୍ତି। ଛୁଟିରେ ଥିବା ଜଣେ ଯବାନଙ୍କୁ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁଯାୟୀ ଶ୍ରୀନଗରର ଟେରିଟୋରିଆଲ୍‌ ଆର୍ମି (ଟିଏ)ରେ ନିଯୁକ୍ତ ହୋଇଥିବା ଯବାନ ମୁଖ୍‌ତାର ଅହମ୍ମଦ ମଲିକ୍‌ ଗତ କିଛିଦିନ ହେବ ଛୁଟିରେ ନିଜ ଘରକୁ ଆସିଥିଲେ। ମୁଖତାର୍‌ଙ୍କ ଘର କଶ୍ମୀରର ସୁରାଟ୍‌ କୁଲଗାମ୍‌ରେ। ନିଜ ୧୮ ବର୍ଷୀୟ ପୁଅର ଅନ୍ତ୍ୟେଷ୍ଟି ପାଇଁ ସେ ଘରକୁ ଆସିଥିଲେ। ତେବେ ଆଜି କିଛି ଆତଙ୍କବାଦୀ ଉକ୍ତ ଯବାନଙ୍କ ଘରେ ପଶି ତାଙ୍କ ମୁଣ୍ଡରେ ଗୁଳି କରିଛନ୍ତି। ଗତ ଶନିବାର ଜଣେ ସାଧାରଣ ନାଗରିକ ଏବଂ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁକୁ ବିରୋଧ କରି କଶ୍ମୀରର ବିଭିନ୍ନ ଅଂଶରେ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ବିଚ୍ଛିନ୍ନତାବାଦୀ ନେତାମାନେ।

ସମ୍ବନ୍ଧିତ ଖବର