ରାଜସ୍ଥାନରେ ଲୁଚିଛି ଆତଙ୍କୀ ମୁସା

ଶ୍ରୀଗଙ୍ଗାନଗର: ପୁଲ୍‌ୱାମା ଏନ୍‌କାଉଣ୍ଟରରେ ଘନିଷ୍ଠ ଆତଙ୍କୀ ସହଯୋଗୀମାନଙ୍କୁ ହରାଇବା ପରେ ଆତଙ୍କବାଦୀ ଜାକିର୍‌ ମୁସା ଏବେ ହଡ଼ବଡ଼େଇ ଯାଇଛି। କେଉଁଠି ଲୁଚି ନିଜକୁ ସୁରକ୍ଷିତ ରଖିବ, ସେଇ ଚିନ୍ତାରେ ପଡ଼ିଯାଇଛି ମୁସା। ତେବେ ଗୁଇନ୍ଦା ରିପୋର୍ଟ ମୁତାବକ ମୁସା ଜମ୍ମୁ କଶ୍ମୀରରୁ ପଳାୟନ କରି ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା‌ରେ ଆତ୍ମଗୋପନ କରିଛି। ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ସେ ଲୁଚିଥିବାରୁ ଏଥିପାଇଁ ହାଇଆଲର୍ଟ ଜାରି କରାଯାଇଛି। ଏଠା‌ରେ ଅଧିକରୁ ଅଧିକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସନ୍ଦିଗ୍ଧ ଲୋକମାନଙ୍କୁ ନିୟମିତ ଭାବେ ପଚରାଉଚରା କରାଯାଉଛି। ପଞ୍ଜାବର ହନୁମାନଗଡ଼ ଜିଲ୍ଲାରେ ମଧ୍ୟ ସତର୍କତା ଜାରି କରାଯାଇଥିବା ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଅନ୍‌ସାର ଗଜୱତ-ଉଲ୍‌-ହିନ୍ଦ୍‌ର ମୁଖ୍ୟ ମୁସାର ସନ୍ଦିଗ୍ଧ ଗତିବିଧି ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାବଧାନତା ଅବଲମ୍ବନ କରାଯାଇଛି। ୨୪ ଘଣ୍ଟା ସତର୍କ ରହିବା ପାଇଁ ଶ୍ରୀଗଙ୍ଗାନଗର ଜିଲ୍ଲାର ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପଞ୍ଜାବର ହନୁମାନଗଡ଼ ଜିଲ୍ଲା ଏବଂ ଶ୍ରୀଗଙ୍ଗାନଗର ଜିଲ୍ଲା ପୁଲିସ ପରସ୍ପର ସହ ଯୋଗାଯୋଗରେ ରହିଛନ୍ତି। ଦୁଇ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରାମ ଏବଂ ହୋଟେଲ୍‌ଗୁଡ଼ିକୁ ଆଗୁଆ ସତର୍କ କରାଯାଇଛି। କାହା ଉପରେ ସନ୍ଦେହ ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ପୁଲିସରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର କଶ୍ମୀର ଘାଟିର ତ୍ରାଲ୍‌ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା। ଏଥିରେ ଆତଙ୍କୀ ମୁସାର ଟିମ୍‌ ନିପାତ ହୋଇଯାଇଥିଲା। ସୁରକ୍ଷା ବାହିନୀର ଅଲ୍‌ଆଉଟ୍‌ ଅପରେସନ୍‌ରେ ଏହା ଏକ ବଡ଼ ସଫଳତା।

ସମ୍ବନ୍ଧିତ ଖବର