ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ନୂଆ କୌଶଳ

ଚୀନ୍‌ ନିର୍ମିତ ଷ୍ଟିଲ୍‌ ଗୁଳି ଏବେ ବଡ଼ ଚ୍ୟାଲେଂଜ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଏବେ ଆତଙ୍କବାଦୀମ‌ାନେ ଆକ୍ରମଣର କୌଶଳ ବଦଳାଇ ଦେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିବାପାଇଁ ଆତଙ୍କବାଦୀମାନେ ଏବେ ଚୀନ୍‌ ନିର୍ମିତ ଷ୍ଟିଲ୍‌ ଗୁଳି ବ୍ୟବହାର କରୁଛନ୍ତି, ଯାହାକି ଯବାନଙ୍କ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଭେଦ କରିପାରୁଛି। ଗତ ୧୨ ତାରିଖରେ ଏକ ସିଆରପିଫ୍‌ ପାଟ୍ରୋଲ ପାର୍ଟି ଉପରକୁ ଆତଙ୍କବାଦୀ ଗୁଳିମାଡ଼ କରିବା ଫଳରେ ୫ ଜଣ ଯବାନ ସହିଦ ହୋଇଥିଲେ । ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିପାତ ହୋଇଥିଲା। ସେଠାରେ ଘଟଣାସ୍ଥଳରୁ କିଛି ଷ୍ଟିଲ୍‌ ଗୁଳି ଜବତ ହୋଇଥିଲା‌। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଷ୍ଟିଲ୍‌ ଗୁଳିଗୁଡ଼ିକ ଚୀନ୍‌ ନିର୍ମିତ ଏବଂ ଏହା‌ ଯବାନଙ୍କ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌କୁ ଭେଦ କରି ଶରୀରରେ ଗଳି ଯାଉଛି।

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଜୈସ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ଆତଙ୍କବାଦୀଙ୍କୁ ଷ୍ଟିଲ୍‌ ଗୁଳି ଯୋଗାଉଥିବା ଜଣାପଡ଼ିଛି। କେବଳ ବୁଲେଟ୍‌ ପ୍ରୁଫ୍‌ ଜ୍ୟା‌କେଟ୍‌କୁ ଭେଦ କରିବାପାଇଁ ଏହି ଷ୍ଟିଲ୍‌ ଗୁଳି ବ୍ୟବହାର କରାଯାଉଛି। ପୁଲ୍‌ୱାମା ଏବଂ ତ୍ରାଲ୍‌ରେ ହୋଇଥିବା‌ ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ଆତଙ୍କବାଦୀମାନେ ଷ୍ଟିଲ୍‌ ଗୁଳି ବ୍ୟବହାର କରିଛନ୍ତି। ଏକ -୪୭ ବନ୍ଧୁକରେ ଷ୍ଟିଲ୍‌ ଗୁଳି ବ୍ୟବହାର କରି ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ଭାରତୀୟ ସୁରକ୍ଷା ଅଧିକାରୀମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଏହାର ମୁକାବିଲା ପାଇଁ ଯୋଜନା କରୁଛନ୍ତି। ଭିଆଇପି ସୁରକ୍ଷା ବ୍ୟବସ୍ଥା ପାଇଁ ବୁଲେଟ୍‌ ପ୍ରୁଫ୍‌ ଗାଡ଼ି ବ୍ୟବହାର ହେଉଛି. କିନ୍ତୁ ଆତଙ୍କବାଦୀଙ୍କ ଦ୍ବାରା ଷ୍ଟିଲ୍‌ ଗୁଳି ବ୍ୟବହାର ବଢ଼ି ଯାଇଥିବାରୁ ଏବେ ସମସ୍ତ ଭିଆଇପି ସୁରକ୍ଷା ପ୍ରକ୍ରିୟାର ଜରୁରୀ ସମୀକ୍ଷା କରା‌ଯିବା ଆବଶ୍ୟକ ବୋଲି ଚିନ୍ତା କରାଯାଉଛି । ବିଶ୍ବବ୍ୟାପୀ ଏହି ଷ୍ଟିଲ୍‌ ଗୁଳିକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ଆତଙ୍କବା‌ଦୀମାନେ ଏହାକୁ ବିପୁଳ ଭାବେ ବ୍ୟବହାର କରିବା ସୁରକ୍ଷା ବାହିନୀ ପାଇଁ ବିରାଟ ଚ୍ୟାଲେଂଜ ହୋଇଛି ।

ସମ୍ବନ୍ଧିତ ଖବର