ପାଟନାରେ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ: ୨ ଆତଙ୍କବାଦୀ ଗିରଫ, ଟାର୍ଗେଟ୍‌ରେ ଥିଲେ ମୋଦୀ

‌ଗିରଫ ଆତଙ୍କବାଦୀ ମଧ୍ୟରେ ଜଣେ ପୂର୍ବ ପୁଲିସ, ଏନ୍‌ଆଇଏ ତଦନ୍ତ ଆରମ୍ଭ

ପାଟନା : ବିହାର ରାଜଧାନୀ ପାଟନା‌ରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ ହୋଇଛି। ବିହାର ପୁଲିସ ଏହି ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛି ଏବଂ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପୂର୍ବ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି ଅଥାର ପରଭେଜ ଏବଂ ଏମ୍‌ଡି ଜଲାଲଉଦ୍ଦିନ । ଜଲାଲଉଦ୍ଦିନ ହେଉଛି ଝାଡ଼ଖଣ୍ଡର ପୂର୍ବତନ ପୁଲିସ ଅଫିସର। ଜଲାଲଉଦ୍ଦିନ ପୂର୍ବରୁ ସିମି (ଷ୍ଟୁ‌ଡେଣ୍ଟ୍‌ସ ଇସଲାମିକ ମୁଭମେଣ୍ଟ୍‌ ଅଫ୍‌ ଇଣ୍ଡିଆ) ସହ ଜଡ଼ିତ ଥିବା ଫୁଲୱାରୀ ସରିଫ୍‌ ଏଏସ୍‌ପି ମନୀଷ କୁମାର କହିଛନ୍ତି। ଜୁଲାଇ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟ‌ରେ ସେମାନେ ମୋଦୀଙ୍କୁ ଟାର୍ଗେଟ୍‌ କରିବାପାଇଁ ଯୋଜନା କରିଥିଲେ। ମୋଦୀଙ୍କ ଗସ୍ତର ୧୫ ଦିନ ପୂର୍ବରୁ ଫୁଲୱାରି ସରିଫ୍‌ରେ ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇଥିଲା। ଏଥିପାଇଁ ଆତଙ୍କବାଦୀମାନେ ଜୁଲାଇ ୬ ଏବଂ ୭ରେ ବୈଠକ କରିଥିଲେ। ଆତଙ୍କବାଦୀଙ୍କ ଫୁଲୱାରି ସରିଫ୍‌ ଅଫିସରେ ପୁଲିସ ଚଢ଼ଉ ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମିଳିଛି। ଗୋଟିଏ ନଥିରେ ‘୨୦୪୭ ଇଣ୍ଡିଆ ଟୋୱାର୍ଡ‌୍ସ ରୁଲ୍‌ ଅଫ୍‌ ଇସଲାମିକ ଇଣ୍ଡିଆ’ ଲେଖାଥିଲା। ଏହି ମୋଡ୍ୟୁଲ୍‌ରେ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବାର ଯୋଜନା କରୁଥିଲା ବୋଲି ପୁଲିସ କହୁଛି। ଆତଙ୍କବାଦୀଙ୍କ ନିକଟରୁ ୨୫ଟି ପିଏଫ୍‌ଆଇ ପ୍ରଚାରପତ୍ର ମଧ୍ୟ ମିଳିଛି।

ପାଟନା ଫୁଲୱାରି ସରିଫ୍‌ ଅଞ୍ଚଳରେ ଏକ ଆତଙ୍କବାଦୀ ସଂଗଠନ କାର୍ଯ୍ୟ କରୁଛି ବୋଲି ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ପୁଲିସ ଏବଂ କେନ୍ଦ୍ରୀୟ ସଂସ୍ଥା ଜୁଲାଇ ୧୧ରେ ନାୟା ଟୋଲା ଅଞ୍ଚଳରେ ଚଢ଼ଉ କରିଥିଲେ ଏବଂ ୨ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଏହି ସ୍ଥାନକୁ କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଏବଂ ଅନ୍ୟ ରାଜ୍ୟମାନଙ୍କରୁ ଯୁବକମାନେ ଆସୁଥିଲେ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ତାଲିମ ନେଉଥିଲେ। ଗିରଫ ହୋଇଥିବା ଆତଙ୍କବାଦୀ ପାକିସ୍ତାନ, ବାଂଲାଦେଶ, ତୁର୍କୀ ସମେତ ଅନ୍ୟ ଇସଲାମ ରାଷ୍ଟ୍ରରୁ ପାଣ୍ଠି ପାଉଥିଲେ। ଏନ୍‌ଆଇଏ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ପିଏଫ୍ଆଇ ତାଲିମ ଶିବିରକୁ ଆରଏସ୍‌ଏସ୍‌ ସହ ତୁଳନା କରି ଅଡ଼ୁଆରେ ପାଟନା ପୁଲିସ
ପାଟନା: ନିଷିଦ୍ଧ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ) ସଂଗଠନକୁ ଆରଏସଏସ ସହ ତୁଳନା କରି ପାଟନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ବିବାଦରେ ଫସିଛନ୍ତି। ପାଟନା ଏସ୍‌ଏସ୍‌ପି ମା‌ନବଜିତ ସିଂହ ଧିଲନଙ୍କ ଟିପ୍ପଣୀ ପାଇଁ ବିହାରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ପାଟନାରେ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ ସହ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମରେ ବିବୃତି ରଖି କହିଥିଲେ, ପିଏଫ୍‌ଆଇ ଆରଏସଏସ୍‌ ଶାଖା ଭଳି ଯୁବଗୋଷ୍ଠୀଙ୍କୁ ମାର୍ସାଲ ଆର୍ଟ ତାଲିମ ଦେଉଛି। ମସଜିଦ ଏବଂ ମଦ୍ରାସାରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ଯୁବଗୋଷ୍ଠୀଙ୍କୁ ଉଗ୍ର ଧର୍ମାନ୍ଧତା ପାଇଁ ପରିଚାଳିତ କରୁଛି। ପିଏଫ୍‌ଆଇ କାର୍ଯ୍ୟ ଆରଏସଏସ ଶଖାର କାର୍ଯ୍ୟ ସହ ସମାନ ବୋଲି ଏସ୍‌ଏସ୍‌ପି କହିଛନ୍ତି। ଧିଲନଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ୪୮ ଘଣ୍ଟା ମଧ୍ୟରେ ସେ ଉକ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାପାଇଁ କୁହାଯାଇଛି। ବିଜେପି ମଧ୍ୟ ଏହି ମାମଲାରେ ପୁଲିସ ଅଫିସର ଧିଲନଙ୍କୁ କଡ଼ା ସମାଲୋଚନା କରିଛି। ଏହି ଅଧିକାରୀ ଜଣକ ପିଏଫ୍‌ଆଇର ମୁଖପାତ୍ର ପରି ବୟାନ ଦେଉଛନ୍ତି ଏବଂ ତାଙ୍କୁ ଏସ୍‌ଏସ୍‌ପି ପଦରୁ ବହିଷ୍କାର କରିବାପାଇଁ ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର