ଆଇଏସ୍‌ର ଦିଲ୍ଲୀ ଆକ୍ରମଣ ଯୋଜନା ପଣ୍ଡ ୧୦ ସନ୍ଦିଗ୍ଧ ଗିରଫ

୧୭ଟି ସ୍ଥାନରେ ଏନ୍‌ଆଇଏର ଚଢ଼, ବିସ୍ଫୋରକ, ରକେଟ୍‌ ଲଞ୍ଚର୍‌ ଜବତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିରିଜ୍‌ ବିସ୍ଫୋରଣ ଘଟାଇବା ପାଇଁ ଆଇଏସ୍ (ଇସ୍‌ଲାମିକ୍‌ ଷ୍ଟେଟ୍‌) ଆତଙ୍କବାଦୀ ସଂଗଠନ ବଡ଼ ଷଡ଼୍‌ଯନ୍ତ୍ର କରିଥିଲା। ଆଇଏସ୍‌ର ଭାରତ ଶାଖା ହରକତ୍‌-ଉଲ୍‌-ହର୍ବ-ଏ-ଇସ୍‌ଲାମ୍‌ ଏହି ଷଡ଼୍‌ଯନ୍ତ୍ର ରଚିଥିଲା। ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତର କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆତ୍ମଘାତୀ ବୋମା ବିସ୍ଫୋରଣ କରି ଧ୍ବଂସଲୀଳା ରଚିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଗୁଇନ୍ଦା ରିପୋର୍ଟ ପାଇବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦିଲ୍ଲୀ ଓ ୟୁପିସ୍ଥିତ ୫ଟି ସହରର ୧୭ଟି ସ୍ଥାନରେ ଚଢ଼ଉ କରିଛି। ଏହାଦ୍ବାରା ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିବାରେ ଏନ୍‌ଆଇଏ ସଫଳ ହୋଇଛି। ଏନ୍‌ଆଇଏ ସୂଚନା ମୁତାବକ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ମୋଟ ୧୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ କିଛି ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ସେମାନଙ୍କୁ ଏବେ ପଚରାଉଚରା କରାଯାଉଛି। ଏହି ଆକ୍ରମଣ ଯୋଜନାର ମାଷ୍ଟରମାଇଣ୍ଡ ୟୁପିର ମୌଲବୀ ମହମ୍ମଦ ମୁଫ୍‌ତି ସୋହେଲ୍‌କୁ ମଧ୍ୟ ଗିରଫ କରାଯାଇଛି।

ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲଙ୍କ କହିବାନୁଯାୟୀ ଆଇଏସ୍ଆଇଏସ୍ ଭାରତ ଶାଖା ହରକତ୍-ଉଲ୍-ହର୍ବ-ଏ-ଇସ୍‌ଲାମ୍‌ର ସଦସ୍ୟ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଲୁଚିଥିବା ଜଣାପଡ଼ିବା ପରେ ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌ (ଏଟିଏସ୍‌) ସହ ମିଳିତ ଭାବେ ଏନ୍‌ଆଇଏ ଅଧିକ‌ାରୀମାନେ ଚଢ଼ଉ କରିଥିଲେ। ଏହାଦ୍ବାରା ମୋଟ ୧୬ ଜଣଙ୍କୁ ଅଟକ ରଖାଯାଇଥିଲା। ୧୬ ଜଣଙ୍କୁ ପଚରାଉଚରା କରାଯିବା ପରେ ‌ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀର ସିଲମପୁର ଏବଂ ୟୁପିର ଅମ୍‌ରୋହା, ହାପୁର, ମୀରଟ୍‌ ଓ ଲକ୍ଷ୍ନୌରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବିପୁଳ ପରିମାଣର ବିସ୍ଫୋରକ, ରକେଟ୍‌ ଲଞ୍ଚର୍‌, ମୋବାଇଲ୍‌ ଫୋନ୍‌, ୭.୫ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କ କହିବାନୁଯାୟୀ ଏବେ ବି ଏନ୍‌ଆଇଏ ଏବଂ ଏଟିଏସ୍‌ ପକ୍ଷରୁ ମିଳିତ ଭାବେ ଚଢ଼ଉ ଜାରି ରହିଛି। ଉଭୟ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜାନୁଆରି ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏହାକୁ ଲକ୍ଷ୍ୟରେ ରଖି ଆତଙ୍କୀମାନେ ବଡ଼ଧରଣର ଆକ୍ରମଣ ଯୋଜନା କରିଥିବା ଆଶଙ୍କା କରାଯାଉଛି। ତେବେ ଏହି ଯୋଜନାକୁ ପଣ୍ଡ କରାଯାଇଥିବା ଏନ୍‌ଆଇଏ ଆଇଜି ମିତ୍ତଲ କହିଛନ୍ତି। ୟୁପିର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ଆଇଜି ଅସୀମ ଅରୁଣ କହିଛନ୍ତି, ୟୁପିର ଅମରୋହାଠାରେ ଚଢ଼ଉ କରାଯାଇ ୫ ଜଣ ସନ୍ଦିଗ୍ଧଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ଏହାପରେ ଘନ ଘନ ଚଢ଼ଉ ଜାରି ରହିଥିଲା।

ମୁଖ୍ୟ ଅଭିଯୁକ୍ତ ମୁଫ୍‌ତି ‌ସୋହେଲ୍‌ କିଏ?
ଉତ୍ତର ପ୍ରଦେଶରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏବଂ ଏଟିଏସ୍‌ (ଆତଙ୍କବାଦୀ ନିରୋଧ ସ୍କ୍ବାଡ୍‌) ଟିମ୍‌ ଅମରୋହାର ସାଦାନ୍‌ ଥାନା ଅଞ୍ଚଳର ସେଦପୁର ଇମ୍ମା ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଆଇଏସ୍‌ ସଞ୍ଚାଳକମାନଙ୍କୁ ଗିରଫ କରିଛନ୍ତି। ଆଇଏସ୍‌ର ଶାଖା ହର୍‌କତ୍‌-ଉଲ୍‌-ହର୍ବ-ଏ-ଇସ୍‌ଲାମ୍‌ ଭାରତରେ ବଡ଼ ଆକ୍ରମଣ ପାଇଁ ଷଡ଼୍‌ଯନ୍ତ୍ର କରୁଥିବା ବେଳେ ଏହାର ମାଷ୍ଟରମାଇଣ୍ଡ୍‌ ହେଉଛି ମୁଫ୍‌ତି‌ ସୋହେଲ। ‌ସେ ଅମରୋହାର ମୂଳ ବାସିନ୍ଦା। ମୁଫ୍‌ତି ଦିଲ୍ଲୀରେ ରହି ଅସ୍ତ୍ର ଓ ବିସ୍ଫୋରକ ଯୋଗାଣଠାରୁ ଆରମ୍ଭ କରି ଆକ୍ରମଣ ଯୋଜନା ମଧ୍ୟ ନିଜେ ପ୍ରସ୍ତୁତ କରୁଥିଲା ବୋଲି ଏନ୍‌ଆଇଏ କହିଛି। ଆଇଏସ୍‌ର ଭାରତ ଶାଖାରେ ନିଯୁକ୍ତି ଦେବା ପାଇଁ ସେ ଅନେକ ଯୁବକଙ୍କୁ ଭାରତ ବିରୋଧୀ ଚିନ୍ତାରେ ଅନୁପ୍ରାଣିତ କରିଥିଲା। ଦେଶରେ ଆଇଏସ୍‌ ନେଟ୍‌ୱର୍କକୁ ବିସ୍ତାର କରିବାକୁ ସେ ଅମରୋହାରୁ କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିଲା। ସେ ଯୁବକଙ୍କୁ ଟାର୍ଗେଟ୍‌ କରି ତାଲିକା ପ୍ରସ୍ତୁତ କରୁଥିଲା ଏବଂ ପରେ ସେମାନଙ୍କୁ ପ୍ରଲୋଭନ ଦେଖାଇ ଆଇଏସ୍‌ ସଂଗଠନରେ ଯୋଗଦେବାକୁ ପ୍ରବର୍ତ୍ତାଉଥିଲା।

ସନ୍ଦିଗ୍ଧଙ୍କ ମଧ୍ୟରେ ମୌଲବୀ, ଇଞ୍ଜିନିୟର୍‌, ଅଟୋ ଚାଳକ
ଏନ୍‌ଆଇଏ ଗିରଫ କରିଥିବା ୧୦ ସନ୍ଦିଗ୍ଧଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶର ଅମରୋହାର ବୋଲି ଜଣାପଡ଼ିଛି। ସେ ମସ୍‌ଜିଦ୍‌ର ଜଣେ ମୌଲବୀ ଅଛନ୍ତି। ଏନ୍‌ଆଇଏ ସୂତ୍ରରୁ ଜଣାପଡ଼ିଛି ଯେ ଆତଙ୍କବାଦୀଙ୍କ ସନ୍ଦିଗ୍ଧ ମୁଖ୍ୟ ମୌଲବୀ ମୁଫ୍‌ତି ମହମ୍ମଦ ସୋହେଲ ଦିଲ୍ଲୀର ଜାଫରାବାଦରେ ରହୁଥିଲେ। କିନ୍ତୁ ତାଙ୍କ ଘର ଅମରୋହାରେ। ଗିରଫ ହୋଇଥିବା ସନ୍ଦିଗ୍ଧଙ୍କ ମଧ୍ୟରେ ୫ ଜଣ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ୫ ଜଣ ଉତ୍ତର ପ୍ରଦେଶର। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ମହମ୍ମଦ ସୋହେଲ ବ୍ୟତୀତ ଆମିଟି ୟୁନିଭର୍ସିଟିରୁ ସିଭିଲ୍‌ ଇଞ୍ଜିନିୟରିଂ ପଢ଼ିଥିବା ଛାତ୍ର, ଅଟୋ ଚାଳକ, ‌କପଡ଼ା ବ୍ୟବସାୟୀ ସାମିଲ ଅଛନ୍ତି। ଏମାନଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ। ଏହି ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି।

ହ୍ବାଟ୍‌ସଆପ୍‌, ଟେଲିଗ୍ରାମ୍‌ରେ କଥା ହେଉଥିଲେ
ଏନ୍‌ଆଇଏ ସୂଚନା ମୁତାବକ ଗିରଫ ହୋଇଥିବା ୧୦ ସନ୍ଦିଗ୍ଧ ପରସ୍ପର ସହ ହ୍ବାଟ୍‌ସଆପ୍‌ ଓ ଟେଲିଗ୍ରାମ୍‌ ମାଧ୍ୟମରେ କଥା ହେଉଥିଲେ। ପୁଲିସକୁ ଚକ୍‌ମା ଦେବାକୁ ଏମାନେ ରିମୋଟ୍‌ କଣ୍ଟ୍ରାଲ ଦ୍ବାରା ବିସ୍ଫୋରଣ ଘଟଣାଇବାକୁ ଯୋଜନା କରୁଥିଲେ। ଏମାନଙ୍କ ପାଇଁ କିଛି ଲୋକ ମଧ୍ୟ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ତିଆ‌ରି କରୁଥିଲେ। ୩-୪ ମାସ ପୂର୍ବେ ଆଇଏସ୍‌ର ଏହି ଭାରତ ଶାଖା ତିଆରି କରାଯାଇଥିଲା।

୧୦୦ ମୋବାଇଲ୍‌, ୧୩୫ ସିମ୍‌ କାର୍ଡ, ୨୫ କିଲୋ ବିସ୍ଫୋରକ ଜବତ
ଚଢ଼ଉ ସମୟରେ ଏମାନଙ୍କ ନିକଟରୁ ୧୦୦ ମୋବାଇଲ୍‌ ଫୋନ୍‌, ୧୩୫ ସିମ୍‌ କାର୍ଡ, ୨୫ କିଲୋ ବିସ୍ଫୋରକ (ପଟାସିୟମ୍‌ ନାଇଟ୍ରେଟ୍‌, ପଟାସିୟମ୍‌ କ୍ଲୋରେଟ୍‌), କିଛି ଲାପ୍‌ଟପ୍‌ ଓ ମେ‌ମୋରି ଚିପ୍‌ ଜବତ କରାଯାଇଛି। ଏହାବ୍ୟତୀତ ୧୨ଟି ବନ୍ଧୁକ, ୧୫୦ ରାଉଣ୍ଡ ଅଫୁଟା ଗୁଳି, ୧୨୦ ଆଲାର୍ମ କ୍ଲକ୍‌ ଓ ୭.୫ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।

କେଉଁମାନେ ଟାର୍ଗେଟ୍‌ରେ ଥିଲେ
ଆତଙ୍କବାଦୀମାନେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ, ଜନଗହଳିପୂର୍ଣ୍ଣ ବଜାର ଅଞ୍ଚଳ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ, ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରିବା ପାଇଁ ତାଲିକା ପ୍ରସ୍ତୁତ କରିଥିଲେ। ତେବେ ଆର୍‌ଏସ୍‌ଏସ୍‌ ଏବଂ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଉପରେ ‌ସେମାନେ ଆକ୍ରମଣ କରିବେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଏ ବାବଦରେ ଏନ୍‌ଆଇଏ ଅଧିକାରୀମାନେ କିଛି ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧିତ ଖବର