ଆତଙ୍କବାଦ କଥା କହିଦେବାରୁ.. ଇମ୍ରାନ୍‌-ପୋମ୍ପିଓ କଥାବାର୍ତ୍ତାକୁ ନେଇ ବିବାଦ

ଆତଙ୍କବାଦ ନେଇ ପାକ୍‌କୁ ତାଗିଦ, ପାକ୍‌ ସେନାର ଭୂମିକା ଉପରେ ନଜର

ଓ୍ଵାସିଂଟନ: ଆମେରିକା ଓ ପାକିସ୍ତାନ ମଧ୍ୟରେ କିଛି ମାସ ଧରି ଲାଗି ରହିଥିବା ତିକ୍ତତା ଏବେ ବଢ଼ିବାରେ ଲାଗିଛି। ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱରେ ଗଠିତ ହୋଇଥିବା ନୂଆ ସରକାର ଆମେରିକା ସହିତ ସଂପର୍କରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ଆତଙ୍କବାଦ ଦମନ ନେଇ ଏହାର ଦୋମୁହା ନୀତି ଏବଂ ଚୀନ୍‌ ପ୍ରତି ମାତ୍ରାଧିକ ଆନୁଗତ୍ୟ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହା ଯେଭଳି ସଂପୂର୍ଣ୍ଣ ଫଳପ୍ରଦ ହେବ ତାହା ସୁନିଶ୍ଚିତ କରିବାକୁ ଆମେରିକା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଚେତାଇ ଦେଇଛି।

ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଇମ୍ରାନ୍‌ ଖାନ୍‌ଙ୍କ ସହିତ ଫୋନ୍‌ରେ କଥା ହୋଇ ଆତଙ୍କବାଦରେ ଲଗାମ ଦେବାକୁ ଗୁରୁତ୍ୱାରୋପ କରିଥିବା ହ୍ଵାଇଟ୍‌ ହାଉସ ପକ୍ଷରୁ ଜାରି ବୟାନ କୁହାଯାଇଛି। ତେବେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରି କହିଛି ଯେ ଇମ୍ରାନ୍‌ଙ୍କ ସହ କଥାବାର୍ତ୍ତା ବେଳେ ପୋମ୍ପିଓ ଆତଙ୍କବାଦ ପ୍ରସଙ୍ଗ ଆଦୌ ଉଠାଇ ନାହାନ୍ତି। ତେବେ ଆତଙ୍କବାଦ ପ୍ରସଙ୍ଗରେ ହିଁ ଆମେରିକା ଗୁରୁତ୍ୱାରୋପ କରିଥିବା ସ୍ପଷ୍ଟ କରିବା ପରେ ପାକିସ୍ତାନର ନୂଆ ସରକାରଙ୍କ ପାଇଁ ଏହା ଝଟ୍‌କା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଗତ ଜାନୁଆରିରେ କହିଥିଲେ ଯେ ଆମେରିକା ପାକିସ୍ତାନକୁ ବିଗତ ୧୫ ବର୍ଷ ମଧ୍ୟରେ ୩୩ ବିଲିୟନ ଡଲାର ସହାୟତା ଯୋଗାଇ ଦେବା ବହୁତ ବଡ଼ ଭୁଲ୍‌ ଥିଲା। ଏଥିରେ ଆମେରିକାକୁ କାଣିଚାଏ ବି ଫାଇଦା ମିଳିନାହିଁ ଏବଂ ଏହି ଅର୍ଥ ଅକାରଣରେ ଦିଆଯାଇଛି ବୋଲି ସେ କହିଥିଲେ। ଏବେ ଟ୍ରମ୍ପ୍‌ ଏହାକୁ ଦୋହରାଇ କହିଛନ୍ତି ଯେ ପାକିସ୍ତାନକୁ ପୂର୍ବରୁ ଦିଆଯାଇଥିବା ଅନୁଦାନର ସମୀକ୍ଷା ହେଉଛି। ନିକଟରେ ଅନୁଷ୍ଠିତ ପାକିସ୍ତାନ ଜାତୀୟ ପରିଷଦ ନିର୍ବାଚନରେ ପାକ୍‌ ସେନା ବଳପୂର୍ବକ ବୁଥ୍‌ ଦଖଲ କରିଥିବା, ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୟଭୀତ କରି ଇମ୍ରାନଙ୍କ ପିଟିଆଇ ଦଳକୁ ବିଜୟୀ କରାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମଧ୍ୟ ଆମେରିକା ବେଶ୍‌ ଗମ୍ଭୀର ରହିଛି ଏବଂ ଇମ୍ରାନ୍‌ ସରକାରକୁ ସହଜରେ ବିଶ୍ୱାସକୁ ନେବନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଛି। ଚୀନ୍‌ ସହ ଏବେ ସୁଦୃଢ଼ ଦ୍ୱିପାକ୍ଷିକ ସଂପର୍କରେ ଥିବା ପାକିସ୍ତାନ ଆମେରିକାର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରୁଥିବା ମଧ୍ୟ ନଜିର ରହିଛି। ଫଳରେ ଚୀନ୍‌ର ଋଣ ସୁଝିବା ପାଇଁ ପାକିସ୍ତାନ ବିଶ୍ୱ ବ୍ୟାଙ୍କରୁ ଋଣ ଉଠାଇବା ପାଇଁ ଚଳାଇଥିବା ପ୍ରୟାସରେ ମଧ୍ୟ ଆମେରିକା ଅଙ୍କୁଶ ଲଗାଇଛି। ଇମ୍ରାନ୍‌ ସରକାରଙ୍କ ବିଦେଶ ନୀତି ପାକ୍‌ ସେନାର ଚାପରେ କିଭଳି ପରିଚାଳିତ ହେବ ତାହା ଉପରେ ଅନ୍ତର୍ଜାତୀୟ ସମୁଦାୟର ନଜର ରହିଛି।

ସମ୍ବନ୍ଧିତ ଖବର