କାବୁଲ୍: ଆଜି ସକାଳେ ଆଫଗାନିସ୍ତାନରେ ଥିବା ଗୁରୁଦ୍ବାର କାର୍ତେ ପର୍ୱାନ୍ ପରିସରରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୫ଜଣ ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେମାନେ ‘ଆଇଏସ୍ଆଇଏସ୍ ଖୋର୍ସାନ୍’ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଛି।
ଗୁରୁଦ୍ବାର ଦଶମେଶ ପିଟା ଗୁରୁ ଗୋବିନ୍ଦ ସିଂହ କାର୍ତେ ପର୍ୱାନ୍ର ଅଧ୍ୟକ୍ଷ ଗୁରନାମ ସିଂହ କହିଛନ୍ତି, ଗୁରୁଦ୍ବାରରେ ବନ୍ଧୁକଧାରୀମାନେ ଗୁଳି ଚଳାଇଛନ୍ତି। ଏବେ ଆମେ ଗୁରୁଦ୍ବାର ବାହାରେ ଅଛୁ। କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ ହେଉଛି। ଭିତରକୁ ଗଲେ ଯାଇ ଅଧିକ ତଥ୍ୟ ଜଣାପଡ଼ିବ।
ସେ କହିଛନ୍ତି, ଆକ୍ରମଣ ସମୟରେ ଶିଖ୍ ସମ୍ପ୍ରଦାୟର ଅନ୍ୟୂନ ୨୦/୨୫ଜଣ ବ୍ୟକ୍ତି ଗୁରୁଦ୍ବାରରେ ଥିଲେ।
/sambad/media/post_attachments/wp-content/uploads/2022/06/gurdwar1-1024x576.jpg)
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ଭାରତୀୟ ସମୟ ସକାଳ ୮.୩୦ରେ ଆକ୍ରମଣ ଆରମ୍ଭ ହୋଇଥିଲା। ୩ଜଣ ବ୍ୟକ୍ତି ଗୁରୁଦ୍ବାର ଭିତରୁ ବାହାରି ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ଗୁରୁଦ୍ବାରର ସୁରକ୍ଷାକର୍ମୀ ଗୁଳିଚୋଟରେ ନିହତ ହୋଇଛନ୍ତି। ୩ଜଣ ତାଲିବାନ୍ ସୈନିକ ମଧ୍ୟ ଆହତ ହୋଇଛନ୍ତି।
ବିଜେପି ବିଧାୟକ ମନ୍ଜିନ୍ଦର୍ ସିଂହ ସିରସା କହିଛନ୍ତି, ଗୁରୁଦ୍ବାର କାର୍ତେ ପର୍ୱାନ୍ର ଅଧ୍ୟକ୍ଷ ଗୁରନାମ ସିଂହଙ୍କ ସହିତ ଫୋନ୍ରେ କଥା ହୋଇଛି। ଆଫଗାନିସ୍ତାନରେ ଥିବା ଶିଖ୍ମାନଙ୍କ ନିମନ୍ତେ ସେ ବୈଶ୍ବିକ ସହଯୋଗ ଲୋଡ଼ିଛନ୍ତି।
ଆଉ କିଛି ସମ୍ବାଦ ସରବରାହ ସଂସ୍ଥାନ ରିପୋର୍ଟ କରିଛନ୍ତି କି, ଗୁରୁଦ୍ବାରରେ ଏକାଧିକ ବିସ୍ଫୋରଣ ଘଟିଛି।
ଏ ସଂକ୍ରାନ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ବିବୃତିରେ କହିଛି, କାବୁଲ ସହରରେ ଥିବା ପବିତ୍ର ଗୁରୁଦ୍ବାରରେ ଆକ୍ରମଣ କରାଯାଇଥିବା ଘଟଣାରେ ଆମେ ଖୁବ୍ ଚିନ୍ତିତ। ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ଅଧିକ ବିବରଣୀ ଅପେକ୍ଷା କରିଛୁ।